କେନ୍ଦ୍ରାପଡା:ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଆଜି ପଛୁଆ ଓ ଅବହେଳିତ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ବିକାଶ ପାଇଁ ବ୍ୟକ୍ତିଗତ ଭାବେ ଦାୟିତ୍ବନେବେ ବୋଲି କହିଥିଲେ । ଶାସକ ବିଜେଡିର ୫ ଜଣ ବିଧାୟକ ଓ ଜଣେ ସାଂସଦ ଥାଇ ମଧ୍ୟ କେନ୍ଦ୍ରାପଡା ବିକାଶ କ୍ଷେତ୍ରରେ ୨୮ ନମ୍ବର ସ୍ଥାନରେ ରହିଛି । ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ, ବିଶାଳ ବେଳାଭୂମି, ଚାଷଜମି ଓ ଭରପୂର ମାନବ ସମ୍ବଳର ସୁବିନିଯୋଗ ଅଭାବରୁ ଆଜି ଜିଲ୍ଲାର ଯୁବସମାଜ ବେରୋଜଗାର ହୋଇ ପେଟପାଟଣା ପାଇଁ ନିଜ ଭିଟାମାଟି ଛାଡି ରାଜ୍ୟ ତଥା ଦେଶ ବାହାରେ ଦାଦନ ଖଟିବାକୁ ଶ୍ରେୟ ମଣୁଛନ୍ତି । ଅପରପକ୍ଷେ ରାଜ୍ୟରେ ମିଛ ଡିଣ୍ଡିମ ପିଟୁଥିବା ୧ ନମ୍ବର ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାକୁ ରାଜ୍ୟରେ ୧ ନମ୍ବର ଦାଦନ ଶ୍ରମିକ ଜିଲ୍ଲାରେ ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା ।
କେନ୍ଦ୍ରାପଡା ସମ୍ପର୍କରେ ବିଜେପି ଯୁବମୋର୍ଚ୍ଚା (Kendrapara BJP Yuva Morcha) ରାଜ୍ୟ ସରକାରଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି । ପ୍ରଥମତଃ, କେନ୍ଦ୍ରାପଡାରେ ବିଶ୍ବବିଦ୍ୟାଳୟ କେବେ ହେବ, ଦ୍ବିତୀୟରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ଏବଂ ତୃତୀୟରେ, ଜିଲ୍ଲାରେ ନିଶା କାରବାର ଉପରେ କେବେ ରୋକ ଲାଗିବ ? କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ l ଗତବର୍ଷ ଡିସେମ୍ବର ୧୫ ତାରିଖରେ ଜିଲ୍ଲା ମୁଖ୍ୟାଳୟ ଠାରୁ ଅନତି ଦୂରରେ ଇଚ୍ଛାପୁର ଶ୍ୟାମଗୁଡ଼ିଆଠାରେ ମାତୃ ଓ ଶିଶୁ ମଙ୍ଗଳକେନ୍ଦ୍ର ତରବରିଆ ଭାବେ ଉଦଘାଟନ ହୋଇଥିଲା ।
କିନ୍ତୁ ଅଦ୍ୟାବଧି ତା'ର ନିର୍ମାଣକାର୍ଯ୍ୟ ସରିନାହିଁ କିମ୍ବା ସ୍ବାସ୍ଥ୍ୟସେବା ଉପଲବ୍ଧ ହୋଇ ପାରିନାହିଁ l ଗରୀବ ଲୋକେ ସାମାନ୍ୟ ରୋଗ ପାଇଁ କଟକ ବଡ଼ ଡାକ୍ତରଖାନାକୁ ରେଫର ହୋଇ ମାନସିକ ଓ ଆର୍ଥିକ ଦଣ୍ଡ ଭୋଗୁଛନ୍ତି l ଅପରପକ୍ଷେ ରାଜ୍ୟର ଅନେକ ଉପାନ୍ତ ଓ ଅନୁନ୍ନତ ଜିଲ୍ଲାମାନଙ୍କରେ ମେଡିକାଲ କଲେଜ ଥିଲାବେଳେ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ବହୁଥର ଦାବି ସତ୍ତ୍ବେ ମଧ୍ୟ କେନ୍ଦ୍ରପଡା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇପାରିଲା ନାହିଁ ।