କେନ୍ଦ୍ରାପଡ଼ା: ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ । ଏହି ପରୀକ୍ଷାରେ ୧୭ ରାଙ୍କ ରଖି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ହରପ୍ରିୟା । ଦୃଢ଼ ଇଚ୍ଛାଶକ୍ତି ଆଉ ପରିସ୍ଥିତି ଆଗରେ ହାର ମାନିଛି ଦାରିଦ୍ର୍ୟତା । ଜଣେ କ୍ଷୁଦ୍ର ଚାଷୀଙ୍କ ଝିଅ ହରପ୍ରିୟା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ ।
ଜିଲ୍ଲାର ଡେରାବିଶ ବ୍ଲକ ସବଳଙ୍ଗ ଗାଁର ନଟବର ପୃଷ୍ଟିଙ୍କ ଝିଅ ହେଉଛନ୍ତି ହରପ୍ରିୟା ପୃଷ୍ଟି । ବିଦ୍ୟାଳୟରେ ପାଠ ପଢିବା ସମୟରୁ ହରପ୍ରିୟା ନିଜ ମେଧାଶକ୍ତି ଦେଖାଇଥିଲେ। ସ୍ଥାନୀୟ ରାମଚନ୍ଦ୍ର ବିଦ୍ୟାପୀଠ, ସବଳଙ୍ଗରେ ମ୍ୟାଟ୍ରିକ ପାସ କରିବା ପରେ ସାଲେପୁର ଜୁନିୟର ମହାବିଦ୍ୟାଳୟରେ +୨ ଓ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରୁ +୩ ପାସ କରିଥିଲେ । ପରେ ବିଇଡି ପାସ କରି ୨୦୧୯ରେ ଅନୁଷ୍ଠିତ ORS ପରୀକ୍ଷାର ଫଳାଫଳ ୨୦୨୧ ମସିହାରେ ପ୍ରକାଶ ପାଇଥିବାବେଳେ, ଏଥିରେ ୭୨ ରାଙ୍କରେ ପାସ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ।
ତେବେ ଗତବର୍ଷ OPSC ପକ୍ଷରୁ ଅନୁଷ୍ଠିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ହରପ୍ରିୟା ୧୭ ତମ ରାଙ୍କରେ ରହିଛନ୍ତି । ହରପ୍ରିୟା ଏବେ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ଭବିଷ୍ୟତରେ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମହିଳା ସଶକ୍ତିକରଣ ଓ ଚିକିତ୍ସା ସୁବିଧା ଉପରେ ଗୁରୁତ୍ବ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ନିଜର ଏହି ସଫଳତା ପାଇଁ ହରପ୍ରିୟା ପରିବାରର ସମସ୍ତ ସଦସ୍ୟ, ଶିକ୍ଷକ ଅଧ୍ୟାପକଙ୍କ ସମେତ ଗୁଗୁଲ ଓ ଟେଲିଗ୍ରାମକୁ ଧନ୍ୟବାଦ ଦେଇଛନ୍ତି ।
ଏହା ବି ପଢନ୍ତୁ- ପ୍ରକାଶ ପାଇଲା 2020 OAS ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର