କେନ୍ଦ୍ରାପଡା:ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ । ଶୁକ୍ରବାର ଥିଲା ବଡ଼ ଏକାଦଶୀ । ଅର୍ଥାତ ଏହି ଦିନରେ ମହାପ୍ରଭୁ ନିଦ୍ରାରୁ ଉଠିଥାନ୍ତି । ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀ ତିଥିରୁ ମହାପ୍ରଭୁ ଜଗନ୍ନାଥ ନିଦ୍ରା ଯାଇଥିବାବେଳେ, ଏହି ଦିନ ନିଦ୍ରାରୁ ଉଠି ଥିବାରୁ ଏହାକୁ ବଡ଼ ଏକାଦଶୀ ବୋଲି କୁହାଯାଇଥାଏ । ଅନ୍ୟପଟେ ପଞ୍ଚୁକର ପ୍ରଥମ ଦିନରେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କର ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ରରୁ ପାଟ ଆସି ଏହି ଦିନ ବଳଦେବଜୀଉଙ୍କ ମସ୍ତକରେ ଶୋଭାପାଇଥାଏ ।
ପୁରା କଥା ଅନୁଯାୟୀ, ପ୍ରଳମ୍ବା ନାମକ ଅସୁର ଦ୍ଵାପର ଯୁଗରେ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସିଥିଲା । ଏହି ସମୟରେ ପ୍ରଭୁ ବଳରାମ ପ୍ରଳମ୍ବାର ବକ୍ଷ ଉପରେ ଜଙ୍ଘ ପକାଇ ସ୍କନ୍ଧ ଉପରେ ପାଦ ଦେଇ ବାହୁ ଦୁଇଟିକୁ ଧରି ହଳ ମୂଷଳରେ ଅସୁରର ବଦ୍ଧ କରିଥିଲେ । ପ୍ରଭୁଙ୍କ ଏହି କାର୍ଯ୍ୟକୁ ଦେଖି ଶ୍ରୀକୃଷ୍ଣ ଖୁସି ହୋଇ ମସ୍ତକରେ ଏକ ପାଟ ବସ୍ତ୍ର ବାନ୍ଧିଥିଲେ । ଏହି କିମ୍ବଦନ୍ତୀକୁ ପାଥେୟ କରି ଆଜି ମଧ୍ୟ ଶ୍ରୀକ୍ଷେତ୍ର ପୁରୀରୁ ସେବାୟତମାନଙ୍କ ଦ୍ବାରା ପାଟବସ୍ତ୍ର ଦୁଇଦିନ ଆଗରୁ ବଳଦେବଜୀଉଙ୍କ ମନ୍ଦିରକୁ ଶୋଭାଯାତ୍ରାରେ ଆସିଥାଏ । ପଞ୍ଚୁକର ପ୍ରଥମ ଦିନରେ ସେବାୟତମାନେ ପ୍ରଳମ୍ବାସୁର ବଦ୍ଧ ବେଶରେ ପ୍ରଭୁ ବଳଦେବଜୀଉଙ୍କ ମସ୍ତକରେ ଏହି ପାଟବସ୍ତ୍ରକୁ ବାନ୍ଧିଥାନ୍ତି ।