କେନ୍ଦ୍ରାପଡ଼ା:ସୋସିଆଲ ମିଡିଆରେ ଭାଇରାଲ ହେଉଛି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର(Kendrapara Autonomous College) ବର୍ତ୍ତମାନ ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ନାମରେ ଭିଜିଲାନ୍ସ ମାମଲାର ଅଭିଯୋଗ । 2014 ମସିହାରେ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର 124ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କ ଦ୍ଵାରା ପଦୋନ୍ନତିକୁ ନେଇ ଏଜି(ଆଟର୍ଣ୍ଣି ଜେନେରାଲ)ଅଡିଟରେ ଆପତ୍ତି ଉଠାଇବା ପରେ ସେ ସମୟର ଡିପିଆଇ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର 4ଜଣ ଅଧ୍ୟାପକଙ୍କ ସେବାପୁସ୍ତିକା(Service Book) ଜବତ କରିନେଇଥିଲେ । ତେବେ 2019 ମସିହାରେ ଦୁଇ ଅଧ୍ୟାପକ ଉଚ୍ଚ ନ୍ୟାୟାଳୟରେ ମାମଲା କରି ସେମାନଙ୍କ ସେବାପୁସ୍ତିକା ଫେରସ୍ତ ପାଇଥିବା ବେଳେ ବର୍ତ୍ତମାନ ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ସେବାପୁସ୍ତିକାକୁ କୌଣସି ଆପତ୍ତି ବିନା ଗତ ଫେବୃଆରୀ ମାସରେ ଭିଜିଲାନ୍ସ ଫେରାଇ ଦେଇଥିବା କହିଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ ।
ଗତ ଏପ୍ରିଲ 30 ତାରିଖରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ବରିଷ୍ଠତା ଦୃଷ୍ଟିରୁ ଗୋପାଳ ଚନ୍ଦ୍ର ବେହେରାଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ । ତେବେ ତାଙ୍କ ଅଧ୍ୟକ୍ଷ ପଦବୀକୁ ନିୟମିତ କରିବା ପାଇଁ ମହାବିଦ୍ୟାଳୟ ପରିଚାଳନା କମିଟି ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରିବା ପରେ ଗୋପାଳ ଚନ୍ଦ୍ର ବେହେରାଙ୍କ ନାମରେ ଭିଜିଲାନ୍ସ ମାମଲା ଥିବା ଦର୍ଶାଇ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଚ୍ଚଶିକ୍ଷା ବିଭାଗ ଭିଜିଲାନ୍ସକୁ ମାମଲା ସମ୍ପର୍କରେ ଜାଣିବା ପାଇଁ ଚିଠି ଲେଖିଥିବା ସୂଚନା ମିଳିଛି ।