କେନ୍ଦ୍ରାପଡା: ସଂଘର୍ଷ ଆଉ କଠିନ ପରିଶ୍ରମ ହିଁ ଜୀବନରେ ଆଣିଥାଏ ସଫଳତା । ସ୍ବପ୍ନକୁ ସାକାର କରିବାର ନିଶା ଥରେ ଘାରିଲେ ମଣିଷ ଯେକୌଣସି ପରିସ୍ଥିତିକୁ ଅତିକ୍ରମ କରିଦେଇପାରେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡା ଟାଉନ ବଳରାମପୁରର ସୌମ୍ୟରଞ୍ଜନ ପଟ୍ଟନାୟକ । ମା’ଙ୍କୁ ଆଦର୍ଶ କରି ଶିଖିଥିବା ଚିତ୍ରକୁ ଏବେ ଦେଶ ବିଦେଶରେ ପରିଚିତ କରାଇ ହୋଇଛନ୍ତି ସମ୍ମାନିତ ।
ବିଦେଶରେ ହିଟ୍ କେନ୍ଦ୍ରାପଡା ପୁଅ ନୀଜର ଅନନ୍ୟ କଳାକୃତି ମାଧ୍ୟମରେ ନିର୍ଜୀବ ବସ୍ତୁକୁ ଜୀବନ୍ତ ରୂପ ଦିଅନ୍ତି ସୌମ୍ୟ । କାନଭାସରେ ରଙ୍ଗତୁଳୀରେ ଆଙ୍କିଦେଇ ପାରନ୍ତି ଅବିକଳ ପ୍ରତିଛବି । ସାମାଜିକ ସଚେତନତାର ବାର୍ତ୍ତା ଠାରୁ ଆରମ୍ଭ କରି ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଫଟୋ ଚିତ୍ର ତାଙ୍କ କାନଭାସରେ ଛାପି ହୋଇଛି । ପିଲାଟି ବେଳରୁ ଚିତ୍ର ଆଙ୍କିବା ପ୍ରତି ତାଙ୍କର ଦୁର୍ବଳତା ଦେଖି ୨୦୦୩ ମସିହାରେ ଭୁବନେଶ୍ୱରର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟରେ ଭର୍ତ୍ତି କରାଇଥିଲେ ଅଭିଭାବକ । ସେହିଦିନ ଠାରୁ ଆଜି ଯାଏଁ ପଛକୁ ଫେରି ଚାହିଁ ନାହାନ୍ତି ସୌମ୍ୟ । ଆଜିର ପ୍ରତିଯୋଗିତାମୂଳକ ସମାଜରେ ଛାତ୍ରଛାତ୍ରୀ ଡାକ୍ତର, ଇଞ୍ଜିନିୟର ଓ ପ୍ରଶାସକ ଆଦି ଚାକିରୀ ପ୍ରତି ଆଶା ରଖୁଥିବା ବେଳେ ଚିତ୍ର ଆଙ୍କିବା ନିଶା ସୌମ୍ୟଙ୍କୁ ନୂଆ ପରିଚୟ ଦେଇଛି । ସେ କ୍ରିଷ୍ଣ ଆର୍ଟ ଅଫ ସ୍କୁଲ ଖୋଲି ପିଲାଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି ।
ଆର୍ଟ ଆଣ୍ଡ କ୍ରାଫ୍ଟରେ ପଢ଼ୁଥିବା ଜଣେ ଛାତ୍ରୀ କହିଛନ୍ତି ଯେ, "କଳା ପ୍ରତି ରୁଚି ରଖୁଥିବା ପିଲାମାନଙ୍କ ସ୍ୱପ୍ନ ପୁରଣ କରାଇବା ପାଇଁ ସହଯୋଗର ହାତ ବଢାଇଛନ୍ତି । ସମାଜ ଓ ପରିବେଶ ସମ୍ପର୍କିତ ଅନେକ ଚିତ୍ର ଆଙ୍କି ଲୋକମାନଙ୍କ ପ୍ରିୟଭାଜନ ହୋଇ ପାରିଥିବା ବେଳେ ଜିଲ୍ଲାରେ ଚିତ୍ର ଆଙ୍କିବା ପାଇଁ ପିଲାମାନଙ୍କୁ ବେଶ ପ୍ରେରଣା ଯୋଗାଉଛନ୍ତି।"
କୋଭିଡ ମହାମାରୀ ସମୟରେ ଲୋକମାନଙ୍କ ଦୁର୍ଦ୍ଦଶା ଓ ପରିବେଶର ପ୍ରଭାବ ଉପରେ ନିଖୁଣ ଚିତ୍ର ଅଙ୍କନ କରିଥିବା ବେଳେ ଲଳିତ କଳା ଏକାଡେମୀରେ ପ୍ରଦର୍ଶିତ ହୋଇଛି ତାଙ୍କ ଚିତ୍ର। ଏଥିସହ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ଚିତ୍ର ପ୍ରଦର୍ଶନୀରେ ଭାଗ ନେଇ ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି ସୌମ୍ୟ ।ଅଲିମ୍ପିକ ଚିତ୍ର ପ୍ରଦର୍ଶନୀ ଏବଂ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ଚିତ୍ର ପ୍ରଦର୍ଶନୀ ସୌମ୍ୟଙ୍କ କାନଭାସର ଚିତ୍ର ଗୁଡିକ କଥା କହୁଥିବା ସମସ୍ତେ ହୃଦୟଙ୍ଗମ କରିଛନ୍ତି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କି ବେଶ ପ୍ରଶଂସା ସାଉଁଟିଛନ୍ତି । ସୌମ୍ୟ ତାଙ୍କର ଚିତ୍ର ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ପାଇଁ ଏବେ ଲକ୍ଷ୍ୟ ରଖିଥିବା ଯୋଗୁଁ ଓଡ଼ିଶାର ମହାମହିମ ରାଜ୍ୟପାଳ ସୌମ୍ୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସୌମ୍ୟଙ୍କ ଚିତ୍ର ଆଙ୍କିବା କଳାରେ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ପତ୍ନୀ ମଧ୍ୟ ଚିତ୍ରକଳାକୁ ଆଦରି ନେଇଛନ୍ତି ।
ଏନେଇ ସୌମ୍ୟଙ୍କ ପତ୍ନୀ ଶତାବ୍ଦୀ ରାଉତରାୟ କହିଛନ୍ତି ଯେ, " ସ୍ବାମୀଙ୍କ ଏହି ଚିତ୍ରକଳା ଦେଖି ମୁଁ ବହୁତ ପ୍ରଭାବିତ ହୋଇଛି । ତେଣୁ ମୁଁ ମଧ୍ୟ ଏହି କଳା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି । କଳାପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଦେଇ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦେଇପାରିବି ।"
ଏହି ଦମ୍ପତି ଏବେ ସହର ଉପକଣ୍ଠରେ କ୍ରିଷ୍ଣ ଆର୍ଟ ଅଫ ସ୍କୁଲ ଆରମ୍ଭ କରି ଗରିବ ମେଧାବୀ ଚିତ୍ର ଲିପସୁ ଛାତ୍ରଛାତ୍ରୀଙ୍କୁ ମାଗଣା ଚିତ୍ର ଶିକ୍ଷା ଦେଉଛନ୍ତି । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ମୋଟ ୭୭୩ ଜିଲ୍ଲାରେ ଏହି ଅବସରକୁ ଧୁମଧାମରେ ପାଳନ କରାଯାଉଥିବା ବେଳେ ସୌମ୍ୟଙ୍କ ଏଭଳି ପ୍ରତିଭାକୁ ଆଗକୁ ପ୍ରେରଣା ଯୋଗାଇ ପାରିଲେ ଜିଲ୍ଲାର ନାମ ବିକଶିତ ହୋଇପାରିବ ବୋଲି ଆଶା କରାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ