କେନ୍ଦ୍ରାପଡା: ଇଟିଭି ଭାରତ ପ୍ରଭାବ । ଭଗ୍ନପ୍ରାୟ ଅବସ୍ଥାରେ ଥିବା ସଂସ୍କୃତି ଭବନର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ । ସାଢ଼େ ଚାରିକୋଟି ଅର୍ଥ ବ୍ୟୟରେ ହୋଇଥିବା ସଂସ୍କୃତି ଭବନର ହେବ ମରାମତି । ପରବର୍ତ୍ତୀ ସମୟରେ ଅଡିଓ ଏବଂ ଲାଇଟ ସିଷ୍ଟମ କରାଯାଇ ଜିଲ୍ଲାର ଐତିହ୍ୟ, ପରମ୍ପରା ସମ୍ବନ୍ଧରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ସୂଚନା ମିଳିଛି ।
ଚଳିତମାସ 3ତାରିଖରେ ଇଟିଭି ଭାରତରେ 'ସହାନୁଭୂତି ମାଗୁଛି ସଂସ୍କୃତି ଭବନ, ସାମଗ୍ରୀ ଲୁଟିନେଲେଣି ଦୁର୍ବୃତ୍ତ' ଶୀର୍ଷକ ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଜିଲ୍ଲାପାଳ ନିଜେ ଉକ୍ତ ସଂସ୍କୃତି ଭବନ ପରିଦର୍ଶନ କରିବା ସହ ଏହାର ଉନ୍ନତିକରଣ ପାଇଁ ରହିଥିବା ନାନାବିଧ ସମସ୍ୟା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଏହାର ପୁନଃରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ସାଢ଼େ ଚାରିକୋଟିରୁ ଊର୍ଦ୍ଧ୍ବ ବ୍ୟୟରେ ସଂସ୍କୃତି ଭବନକୁ 2018 ମସିହାରେ ତତ୍କାଳୀନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉଦଘାଟନ କରିଥିଲେ ।