କେନ୍ଦ୍ରାପଡା: ବନ୍ୟାରେ ବୁଡିଛି ଅଧା ଓଡିଶା । ହଜାର ହଜାର ଲୋକେ ଜଳବନ୍ଦୀ ଦୁର୍ଦ୍ଦଶା ଭୋଗୁଥିବା ବେଳେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ସରକାରୀ ସ୍ତରରେ ଘନ ଘନ ବୈଠକ ବସୁଛି । କେଉଁଠି ମନ୍ତ୍ରୀମାନେ ବନ୍ୟାଞ୍ଚଳ ବୁଲୁଛନ୍ତି ତ କେଉଁଠି ପ୍ରଶାସନିକ ଅଧିକାରୀମାନେ ଡଙ୍ଗାରେ ଲୋକଙ୍କ ପାଖକୁ ଯାଉଛନ୍ତି । ହେଲେ ଏସବୁ ଭିତରେ କେନ୍ଦ୍ରାପଡା ଜିଲ୍ଲାରେ ଫେଲ୍ ମାରିଛି ବନ୍ୟା ପରିଚାଳନା । ଏଠାରେ ବନ୍ୟା ପ୍ରଭାବିତଙ୍କ ପାଇଁ କେବଳ ଭଗବାନ ଭରସା ବୋଲି ଅଭିଯୋଗ ହେଉଛି l କାରଣ ଏଠାରେ ଜଣେ ଶିଶୁ ଜ୍ବରରେ ପଡିଥିବା ବେଳେ ମେଡିକାଲ ନେବାକୁ କେହି ନ ଶୁଣିବାରୁ ତାକୁ କାନ୍ଧରେ ବୋହି ପାଣିରେ ମେଡିକାଲ ନିଆଯାଇଥିବା ଅଭିଯୋଗ ହୋଇଛି । ବନ୍ୟା ପ୍ରଭାବିତ ମାର୍ଶାଘାଇ ବ୍ଲକ ଅଧିନ ଆଇତିପୁର ଅଞ୍ଚଳରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଏବେ ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମହାନଦୀର ଶାଖା ଲୁଣା-କରାଣ୍ତିଆ ନଦୀରେ ବନ୍ୟା ଜଳ ଆସିବାରୁ ମଙ୍ଗଳବାର ସକାଳ ସମୟରୁ ଆଇତିପୁର ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଅନେକ ଲୋକ ଥଇଥାନ କେନ୍ଦ୍ରକୁ ଆସିଥିବା ବେଳେ କିଛି ଲୋକ ଏବେ ବି ଘର ଛାତ ଉପରେ ପଲିଥିନ ଟାଙ୍ଗି ରହୁଛନ୍ତି । ଏଭଳି ସ୍ଥିତିରେ ଆୟତିପୁରର ଶୁକଦେବ ସାମନ୍ତରାୟଙ୍କ ଏକ ବର୍ଷର ନାତି କୀର୍ତ୍ତି ସାମନ୍ତରାୟଙ୍କ ଦେହ ଖରାପ ହୋଇଥିଲା । ଥଣ୍ତା ହେବା ସହିତ ପ୍ରବଳ ଜ୍ବର ଏବଂ ନିଃଶ୍ବାସ ପ୍ରଶ୍ବାସ ନେବାରେ ଶିଶୁପୁତ୍ର କଷ୍ଟ ଅନୁଭବ କରିଥିଲା । ଏହାପରେ ପରିବାର ଲୋକ ମେଡିକାଲ ନେବାକୁ ଯୋଜନା କରିଥିଲେ । ହେଲେ ଜଳବନ୍ଦୀ ଥିବାରୁ ମେଡିକାଲ ନେବା ସମ୍ଭବପର ହୋଇନଥିଲା ।