କେନ୍ଦ୍ରାପଡା: କରମଣ୍ଡଳରେ ଛକି ଥିଲା ମୃତ୍ୟୁ । ହେଲେ ଭାଗ୍ୟ କିନ୍ତୁ ଅନେକ ଜୀବନ ଛଡାଇ ଆଣିଲା । ଶହ ଶହ ଜୀବନକୁ ନୂଆ ଜୀବନ ମିଳିଛି । ଭୟଙ୍କର, ଛାତିଥରା ହୃଦୟବିଦାରକ ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁମୁଖରୁ ଅନେକ ନୂଆ ଜୀବନ ପାଇଛନ୍ତି । ଭାଗ୍ୟବଳରୁ ଅନେକଙ୍କ ପ୍ରାଣ ବଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳତାଙ୍ଗ ଗାଁର ରିନୁଲତା ନାୟକ । ଜୀବନ ତ ବଞ୍ଚିଯାଇଛି ହେଲେ ସେ କାଳ ରାତି କଥା ମନେ ପକାଇଲେ ଏବେ ବି ରିନୁଙ୍କ ଛାତି ଥରି ଉଠୁଛି ।
ଏହା ବି ପଢନ୍ତୁ...ଇଣ୍ଟରଲକିଂ ସିଷ୍ଟମରେ ଗଡବଡ ଦୁର୍ଘଟଣା କାରଣ ହୋଇପାରେ :ସୁଧାଂଶୁ ମଣି
କଥାରେ ଅଛି ନା ରଖେ ହରି ତ ମାରେ କିଏ । ଏ ପଦଟି ସତ ପ୍ରମାଣିତ ହୋଇଛି ରିନୁଙ୍କ ପାଇଁ । ଜୁନ 2 ତାରିଖ ଦିନ ରିନୁ ତାଙ୍କ ସାଙ୍ଗ ସହ କୋଲକାତାରୁ ବ୍ୟାଙ୍କ୍ ଚାକିରି ପାଇଁ ଟ୍ରେନିଂ ସାରି କରମଣ୍ଡଳରେ ଫେରୁଥିଲେ ରିନୁ ଓ ତାଙ୍କ ସାଙ୍ଗ ପଲ୍ଲବୀ । ସାଥୀ ହୋଇ ବେଶ ହସଖୁସିରେ ଘରେ ପହଞ୍ଚିବାକୁ ଅପେକ୍ଷା କରିଥିଲେ । ସମୟ ରାତି 7ଟା ହେବ । କେହି କିଛି ବୁଝିବା ଆଗରୁ ଅଚାନକ ପ୍ରଚଣ୍ଡ ଶଦ୍ଦ ହୋଇଥିଲା । ଆଉ ସବୁ କିଛି ଛାରଖାର ହୋଇଥିଲା । ଟ୍ରାକରୁ ଟ୍ରେନ ଖସିଯାଇଥିବା ଯିଏ ଯେଉଁଆଡେ ଛିଟିକି ପଡିଥିଲେ । ଆର୍ତ୍ତଚିତ୍କାର ସହ କିଏ ରକ୍ତାକ୍ତ ତ କିଏ ବଗି ତଳେ ଚାପି ହୋଇପଡିଥିଲେ । ରିନୁ ଓ ତାଙ୍କ ସାଙ୍ଗ ମଧ୍ୟରେ ବଗିରେ ପିଟି ହୋଇଯାଇଥିଲେ । ଦୁଇ ସାଙ୍ଗଙ୍କୁ ସେଠାରେ କିଛି ଲୋକ ଉଦ୍ଧାର କରିଥିଲେ । ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ ଦୁଇ ସାଙ୍ଗ । ଏବେ ଏହି ଛାତିଥରା କଥା କହି ଭୟଭୀତ ହୋଇ ପଡିଛନ୍ତି ରିନୁ । ସେ ବଞ୍ଚିବେ ବୋଲି କେବେ ଭାବି ନଥିଲେ ।