କେନ୍ଦ୍ରାପଡା:ଲୁହା ଶିକୁଳିରେ ବନ୍ଧା ପଡିଛି ‘ସୀତା’ । ବାଜୁ ନାହିଁ ତା’ ହାତର ଶଙ୍ଖା । ଶୁଭୁ ନାହିଁ ଘୁଙ୍ଗୁରର ରୁଣୁ ଝୁଣୁ ଶବ୍ଦ । ଅନର୍ଗଳ ଡାଏଲଗ କହୁଥିବା ତୁଣ୍ଡଟି ଆଜି ନିଶବ୍ଦ ହୋଇଯାଇଛି । କେବେ ସେ ପେଣ୍ଡାଲ ଉପରେ ଅଭିନୟର ଜାଦୁରେ ଦର୍ଶକଙ୍କୁ କରୁଥିଲା ମତୁଆଲା , ଆଜି ମାନସିକ ଭାରସ୍ୟାମ ହରାଇ ହୋଇଛି ଦିଗହରା । ଦଇବର ଅକଥୀୟ ତାଡନାରେ ଦହଗଞ୍ଜ ହେଉଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ ବାହାକୁଦ ଗାଁର ଆଦିବାସୀ ଝିଅ ବଦନୀ ସାମଲ ।
କେନ୍ଦ୍ରାପଡା ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ବିଭିନ୍ନ ଗାଁ ଓ ଅନ୍ୟ ପଞ୍ଚାୟତ ବୁଲି ରାମଲୀଳା କରିବା ପାଇଁ ଏକ ସାଂସ୍କୃତି ଅନୁଷ୍ଠାନ ରହିଛି । ବିଭିନ୍ନ ପୂଜାପର୍ବରେ ଏହି ଅନୁଷ୍ଠାନ ରାଲଳୀଳା ପରିବେଷଣ କରୁଥିବାବେଳେ ସୀତା ସାଜେ ବଦନୀ । ଚମତ୍କାର ଅଭିନୟ ଓ ଜବରଦସ୍ତ ଡାଏଗଲରେ ଦର୍ଶକଙ୍କ ମନକୁ ବେଶ ବାନ୍ଧି ରଖିପାରେ ବଦନୀ । ହେଲେ ଆଜି ସେ ରମଲୀଳା ମଇଦାନରୁ ନିଖୋଜ ହୋଇଛି । ନିରବି ଯାଇଛି ତାର ନିଖୁଣ ଅଭିନୟ ।
ବାପା ଦିନ ମଜୁରିଆ ହୋଇଥିବାରୁ ଅଷ୍ଟମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧା ହୋଇଗଲା । ଘରେ ଚୁଲି ଜଳିବ ବୋଲି ବଦନୀ ଅଭିନୟ ମଇଦାନକୁ ଓହ୍ଲାଇଥିଲା । ଆଉ ବାପା ସହ ମିଶି ଘରର ଆର୍ଥିକ ଅଭାବକୁ ପୁରୁଣ କରିବାରେ ଲାଗିଥିଲେ । ହେଲେ ହଠାତ ମାନସିକ ରୋଗାଗ୍ରସ୍ତ ହେବା ପରେ ଅର୍ଥାଭାବରୁ ଚିକିତ୍ସା ନ ପାଇ ଅଧିକ ଅସୁସ୍ଥ ହୋଇପଡିଥିଲେ । 16 ବର୍ଷର ଝିଅଟି ଯିଏ ଦିନେ ନିଜର ସବୁ କାମଧନ୍ଦା କରିବା ସହ ଘରର ଦୁଃଖ ବୁଝୁଥିଲା ଆଜି ତାକୁ କେଉଁ ଦଇବ କଷଣ ଦେଲା । ନା ନିଜେ ଗାଧେଇ ପାରୁଛି ନା ଖାଉଛି । ଝିଅକୁ ଏକା ଛାଡି ମଧ୍ୟ କାମକାର୍ଯ୍ୟକୁ ଯାଇପାରୁନାହାଁନ୍ତି ଘର ଲୋକ । ଏପରି ସ୍ଥିତିରେ ଝିଅକୁ ଚିକିତ୍ସା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ବଦନୀର ମା’ ।