କେନ୍ଦ୍ରାପଡ଼ା: ହାଡ ଭଙ୍ଗା ଶୀତରେ କଲବଲ ରାଜ୍ୟ । ସଞ୍ଜ ନଇଁଲେ ଘରୁ ବାହାରିବା ମୁସ୍କିଲ । ହେଲେ ଭାଗ୍ୟ ଯେମିତି ଏମାନଙ୍କ ଉପରେ ଦାଉ ସାଧିଛି । କିଏ ଖରା କି ଶୀତ ବର୍ଷ ତମାମ ରାସ୍ତା କଡରେ କଟେ ଏମାନଙ୍କ ଜୀବନ । କୋରୋନା ସମୟରେ କେନ୍ଦ୍ରାପଡାରେ କୋଭିଡ ଯୋଦ୍ଧା ସାଜିଥିଲା ସଫେଇ କର୍ମଚାରୀଙ୍କ ଅବସ୍ଥା ନ କହିବା ଭଲ । ମୁଣ୍ଡ ଗୁଞ୍ଜିବାକୁ ଘରେ ଖଣ୍ଡେ ନଥିବାରୁ କିଏ ବାରଣ୍ଡାରେ ବସି ରାତି କାଟୁଛି ତ ଆଉ କିଏ ଖୋଲା ଆକାଶ ତଳେ ଶୋଇଛି । ମୁନିସିପାଲିଟିକୁ ୧୫୧ ବର୍ଷ ପୁରିଲାଣି, ହେଲେ ଆଜି ବି ବେସାହାରା ଜୀବନ ବିତାଉଛନ୍ତି ଏହି କର୍ମଚାରୀଙ୍କ ପରିବାର । ଆଉ ସେ ଦୃଶ୍ୟ ବୟାନ କରୁଛି ସରକାରୀ ଯୋଜନାର ବାସ୍ତବ ଚିତ୍ର ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିକଟରେ ଅବସ୍ଥିତ ଏହି ସଫେଇ କର୍ମଚାରୀଙ୍କ ଗାଁ, ଚଉଁରୀ ବ୍ରହ୍ମପୁର ବା ସ୍ବିପର କଲୋନୀ । ୨୦୦ ପରିବାରରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ୮୦୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ରୁହନ୍ତି ଏହି କଲୋନୀରେ । କିନ୍ତୁ କଲୋନୀର ପଟ୍ଟା ଖଣ୍ଡକ ପାଇଁ ଏମାନଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ିଥାଏ ପ୍ରଶାସନ ପାଖକୁ । ମ୍ୟୁନିସିପାଲିଟି ପ୍ରତିଷ୍ଠା ଦିନରୁ ସ୍ୱିପରମାନଙ୍କୁ ପୋୖର ପରିଷଦ ଅଧିନ ୧୩ନଂ ୱାର୍ଡରେ ମାତ୍ର ୩୦ଜଣଙ୍କୁ ଅବସ୍ଥାପିତ କରାଯାଇଥିଲା । କାଳକ୍ରମେ ପରିବାର ସଂଖ୍ୟା ଓ ଲୋକସଂଖ୍ୟ ବୃଦ୍ଧି ପାଇ ଏବେ ତାହା ଏକହଜାର ଛୁଇଁବାକୁ ବସିବାକୁ ଥିବା ବେଳେ ମୁଣ୍ଡ ଉପରେ ଛାତ ଖଣ୍ଡିଏ ନଥିବାରୁ ଏମାନଙ୍କୁ ବର୍ଷର ୩୬୫ଦିନ ସିନେମା ହଲ କାଁଥ,ଗାଁ ରାସ୍ତା ଓ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି।