କେନ୍ଦ୍ରାପଡା:ଜିଲ୍ଲା ଡେରାବିଶ ବ୍ଲକ ରଘୁଦେଇପୁର ଗାଁର ଅନୀଲ ପତି । ବୟସ ୩୬ ମାତ୍ର । ପେଶାରେ ଇଲେକ୍ଟ୍ରି କାମ କରନ୍ତି ଅନିଲ । ବେଶ ହସଖୁସିରେ ଚାଲିଥିଲା ପରିବାର । ହେଲେ ହଠାତ ପରିବାର ଉପରେ ଘୋଟି ଆସିଲା କଳାବାଦଲ । ଦୁଇଟି ଯାକ କିଡନୀ ଖରାପ ହେବାରୁ ଶଯ୍ୟାଶାୟୀ ହୋଇଛନ୍ତି ଅନିଲ । ଆଉ ଅଭାବୀ ପରିବାର ଉପରେ ଦାଉ ସାଜିଛି ରୋଗ । ଚିକିତ୍ସା ପାଇଁ ଲୋଡା ୧୦ ଲକ୍ଷ ଟଙ୍କା । ଯାହା ଯୋଗାଡ କରିବା ପରିବାର ପକ୍ଷେ ସମ୍ଭବ ନୁହେଁ । ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ କାକୁତିମିନତି ହୋଇ ସହାୟତା ଲୋଡିଛନ୍ତି ଅନିଲଙ୍କ ସ୍ତ୍ରୀ ନିବେଦିତା ।
ଅନିଲଙ୍କ ପରିବାର କହିଲେ ମାଆ, ସ୍ତ୍ରୀ ଓ ୭ ବର୍ଷର ଝିଅ । ଇଲେକ୍ଟ୍ରି କାମ କରି ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ବେଶ ହସଖୁସିରେ ଚାଲିଥିଲା । ହଠାତ ଅନିଲ ଦିନେ ଅସୁସ୍ଥ ହେବାକୁ ଲାଗିଲେ । ପରୀକ୍ଷା କରିବା ପରେ ତାଙ୍କର ଦୁଇଟି କିଡନୀ ଖରାପ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର । ଦିନେ ଯିଏ ଥିଲେ ଚଳ ଚଞ୍ଚଳ ଆଜି ସେ ଗୋଟିଏ ସ୍ଥାନରେ ବସିଛନ୍ତି । ଏକମାତ୍ର ରୋଜଗାରିଆ ପୁଅ ଶଯ୍ୟାଶାୟୀ ହୋଇଥିବାବେଳେ ପରିବାରରେ ଚୁଲି ଜଳିବା କଷ୍ଟକର ହୋଇଛି । ସେପଟେ ଜଲଦି କିଡନୀ ପ୍ରତ୍ୟାରୋପଣ ନ କରାଗଲେ ଅନିଲଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି ଡାକ୍ତର । ଅନିଲଙ୍କ ଚିକିତ୍ସା ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କା ଦରକାର । ଏହାଛଡା ଔଷଧ ବାବଦକୁ ମାସିକ ୮ ହଜାର ଖର୍ଚ୍ଚ ହେଉଛି । ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଚିନ୍ତାରେ ପଡିଛି ପରିବାର । ଯାହା କିଛି ଥିଲା ସବୁ ବିକ୍ରି କରିବା ପରେ ଅର୍ଥ ଯୋଗାଡ ହୋଇପାରୁନାହିଁ । ଅନୀଲଙ୍କ ସ୍ତ୍ରୀ ଏବେ ହାତପାତି ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଛନ୍ତି ।