କେନ୍ଦ୍ରାପଡା:ନିଜର ବିଭିନ୍ନ ସ୍ଵଭାଵ ପାଇଁ ରାଜ୍ୟ ରାଜନୀତିରେ ସଦାସର୍ବଦା ଚର୍ଚ୍ଚାରେ ରହିଥାନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। କେତେବେଳେ ସାମ୍ବାଦିକଙ୍କୁ ଧମକ ଦେଇ ତ ଆଉ କେତେବେଳେ ନିଜ ପାରିବାରିକ କୋଳହକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି ସାଂସଦ । ଏବେ ଏକ ନୂଆ ବିବାଦ ଭିତରେ ଛନ୍ଦି ହୋଇପଡିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଗତ ଡିସେମ୍ବର ମାସରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ମନ୍ତ୍ରୀ ମୁଖତାର ଅବାସ ନକଭିଙ୍କୁ ଦେଇଥିବା ଚିଠି ପାଇଁ ଏବେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଜନତା ଅନୁଭବଙ୍କ ଏହି ଅନୁଭବ ବିହୀନ ଚିଠି ପାଇଁ କରିଛନ୍ତି ତାତ୍ସଲ୍ୟ ।
ଭାଇଚାରାର ଜିଲ୍ଲା କେନ୍ଦ୍ରାପଡାରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି କେନ୍ଦ୍ରାପଡା ସାଂସଦ। ଏଭଳି ଅଭିଯୋଗ କରିଛନ୍ତି ଜଣେ ସଂଖ୍ୟାଲଘୁ ବ୍ୟକ୍ତି। ଜିଲ୍ଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସଂଖ୍ୟା ୩.୪୯ ପ୍ରତିଶତ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାକୁ ସଂଖ୍ୟାଲଘୁ ଜିଲ୍ଲାର ମାନ୍ୟତା ଦେବାପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ବାସ୍ତବିକ ଅଜ୍ଞତାର ପରିଚୟ ଓ ଚର୍ଚ୍ଚାରେ ରହିବା ପାଇଁ ଏହା ଏକ ଉଦ୍ୟମ ବୋଲି କହିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ମହମ୍ମଦ ସଲିମ ଖାନ। ଯଦିଓ ଏହି ଚିଠିରେ ସାଂସଦ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଯୁବତୀ ମାନଙ୍କ ଦକ୍ଷତା ବିକାଶ ପାଇଁ ଆଇଟିଆଇ ଓ ସ୍ପୋର୍ଟସ ହଷ୍ଟେଲ କଥା ଉଲ୍ଲେଖ କରିଛନ୍ତି ତଥାପି ନିର୍ବାଚନ ମଣ୍ଡଳୀରେ ବାସ କରୁଥିବା ଭାଇଚାରା ଭଙ୍ଗ ପାଇଁ ଏହାକୁ ସଂଖ୍ୟାଲଘୁ ନିର୍ବାଚନ ମଣ୍ଡଳୀ ମାନ୍ୟତା ଦାବି କରିବା ବେଶ ହାସ୍ୟାସ୍ପଦ ଓ ଅତ୍ୟନ୍ତ ନିମ୍ନ ମାନସିକତା ବୋଲି ଅଭିଯୋଗ ହୋଇଛି । ଧର୍ମକୁ ନେଇ ରାଜନୀତି କରିବା କେନ୍ଦ୍ରାପଡ଼ା ସାଂସଦ ବନ୍ଦ କରନ୍ତୁ ଓ ଏଥିପାଇଁ ଦଳର ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିବା ସହ କ୍ଷମା ମାଗିବାକୁ ଦାବି କରାଯାଇଛି।