ଓଡିଶା

odisha

ବେଖାତିର ପ୍ରଶାସନ: ଶହୀଦ ପୁଅର ପ୍ରତିମୂର୍ତ୍ତି ଆଶାରେ ଆଖି ବୁଜିଲେ ବାପାମାଆ

By

Published : Jul 26, 2019, 3:19 PM IST

ଜଣେ ଶହୀଦ ପ୍ରତି ସରକାରୀ ବୈମାତୃକ ମନୋଭାବ । ଦେହାବଶେଷ ଥିବା ସ୍ଥାନରେ ନିର୍ମାଣ ହୋଇପାରୁନି ପ୍ରତିମୂର୍ତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପିଲାଦିନରୁ ସବୁକାର୍ଯ୍ୟରେ ଧୁରନ୍ଧର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ତହସିଲ ଅଧିନ କଣ୍ଡିଆ ଗାଁର ଉପେନ୍ଦ୍ର ଓ ମାଳତୀଲତା ମଲ୍ଲିକଙ୍କ ତୃତୀୟ ତଥା କନିଷ୍ଠ ପୁତ୍ର ସଚ୍ଚିଦାନନ୍ଦ ମଲ୍ଲିକ । ଯୁକ୍ତ ଦୁଇ ପରୀକ୍ଷା ଦେଇ 1989 ମସିହାରେ ଯବାନ ଭାବେ ଯୋଗଦେଇଥିଲେ ଭାରତୀୟ ସେନାବାହିନୀରେ । ପରେ ସେ ଲାନ୍ସନାୟକ ପଦବୀକୁ ପ୍ରମୋଶନ ପାଇ ଭାରତୀୟ ସେନାର ଏକ ଯୋଦ୍ଧା ଭାବେ ଦେଶ ମାତୃକା ପାଇଁ ଜୀବନ ଦେଲେ ।

୧୯୯୯ ମସିହା ମେ ମାସ ୩ ତାରିଖରୁ କାଶ୍ମୀରର କାର୍ଗିଲ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସେହିବର୍ଷ ଜୁଲାଇ ୨୬ରେ ଶେଷ ହୋଇଥିଲା । ଭାରତ ତା'ର ଚିରଶତ୍ରୁ ପାକିସ୍ତାନକୁ ପରାସ୍ତ କରି ଜୁଲାଇ ୨୬ ତାରିଖରେ ବିଜୟ ବାନା ଉଡାଇଥିଲା । ୫୨୭ ଜଣ ଶହୀଦ ତଥା ଓଡିଶାରୁ ଶହୀଦ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ପଞ୍ଚମ ଶହୀଦ ଥିଲେ ସଚ୍ଚିଦାନନ୍ଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ଜଣେ ଶହୀଦ ପ୍ରତି ସରକାରୀ ବୈମାତୃକ ମନୋଭାବ ଯୋଗୁଁ ସଚ୍ଚିଦାନନ୍ଦଙ୍କର ଦେହାବଶେଷ ଥିବା ସ୍ଥାନରେ ପ୍ରତିମୂର୍ତ୍ତିଟିଏ ନିର୍ମାଣ ହୋଇପାରୁନାହିଁ । ଦୀର୍ଘଦିନ ରୋଗ ଯନ୍ତ୍ରଣାରେ ପଡି ସଚ୍ଚିଦାନନ୍ଦଙ୍କର ପିତାମାତା ମୃତ୍ୟୁବରଣ କରିସାରିଲେଣି । ସେମାନଙ୍କର ଶେଷ ଇଛା ମଧ୍ୟ ପୁରଣ କରିବାକୁ ଅସମର୍ଥ ହେଲେ ପ୍ରଶାସନ ଓ ସରକାର । ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ତାହା ଫଳଶୂନ୍ୟ ହେଲା ପ୍ରଶାସନ ନିକଟରେ ।

''They are paid to die" କଥାର ବ୍ୟାଖ୍ୟା କରି କୋହଭରା କଣ୍ଠରେ ପ୍ରଶାସନର ସ୍ଥାଣୁତା ନେଇ ଅଭିଯୋଗ କରନ୍ତି ଶହୀଦଙ୍କର ଦାଦା । ୧୯୯୯ ମସିହା ଜୁନ ୨୮ରେ ଦେଶପାଇଁ ଜୀବନ ଦେବା ପରେ ଏହି ଅଖ୍ୟାତ ପଲ୍ଲୀ କଣ୍ଡିଆକୁ ସରକାରୀ ବାବୁ ଆଉ ନେତାଙ୍କ ଛୁଟିଥିଲା ସୁଅ ।ମିଳିଥିଲା କୁଢକୁଢ ପ୍ରତିଶ୍ରୁତି । କିନ୍ତୁ ଏସବୁ ଯେମିତି ସମୟ ସ୍ରୋତରେ ଭାସିଗଲା ।

ଗ୍ରାମବାସୀଙ୍କର ବାରମ୍ବାର ଦାବି ଫଳରେ ସଚ୍ଚିଦାନନ୍ଦଙ୍କର ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅର୍ଥାତ ୨୦୦୧ ମସିହା ଜୁନ ୨୮ ତାରିଖରେ ତତ୍କାଳୀନ କେନ୍ଦ୍ରାପଡା ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପାଣ୍ଠିରୁ ଶହୀଦଙ୍କର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଏକଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କଣ୍ଡିଆହାଟ ଫାଣ୍ଡି ନିକଟରେ ଥିବା ସ୍ଥାନ ଯେଉଁଠାରେ ଶହୀଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଥିଲା, ସେଠାରେ ଲାଗିଲା ବଡ଼ ବଡ଼ ଅକ୍ଷରରେ ସାଂସଦଙ୍କ ନାମ ଥିବା ଫଳକ । ଚାରି ଗଦା ଇଟା ମଧ୍ୟ ଯୋଡାଗଲା ।

କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ପୁରୁଣା ଜିଲ୍ଲାପାଳ ଗଲେ ଓ ନୂତନ ଜିଲ୍ଲାପାଳ ଆସିଲେ । ଗ୍ରାମର ମୁରବୀ ଶ୍ରେଣୀୟ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ଶହୀଦ ଭୂମି ଭଦ୍ରକର ଇରମ,ବାସୁଦେବପୁର ଇତ୍ୟାଦି ସ୍ଥାନ ଦେଖାଇ ଡ୍ରଇଂ ମଧ୍ୟ ଦେଖାଗଲା । କିନ୍ତୁ ପ୍ରତିମୂର୍ତ୍ତି ତିଆରି ହୋଇପାରିଲା ନାହିଁ ।

ଆଜି ମଧ୍ୟ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଥାଏ ଚିହ୍ନଟ ହୋଇଥିବା ସ୍ଥାନରେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ । କିନ୍ତୁ କୌଣସି ସରକାରୀ ପଦାଧିକାରୀ ଏହି ଦାବିକୁ ଶୁଣନ୍ତି ନାହିଁ । ଏପରିକି ତତ୍କାଳୀନ ସାଂସଦଙ୍କ ହାତପାଣ୍ଠିରୁ ଆସିଥିବା ଏକ ଲକ୍ଷ ଟଙ୍କା ଗଲା କୁଆଡେ ତାକୁ ନେଇ ଉଠେ ପ୍ରଶ୍ନ । ଏପଟେ ଜିଲ୍ଲା ପ୍ରଶାସନର ଦୁଇ ବରିଷ୍ଠ ଅଧିକାରୀ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ଏହି ଘଟଣା ବିଷୟରେ ଅବଗତ ହୋଇଛନ୍ତି । ଯଥାଶୀଘ୍ର ଏହାକୁ ନିର୍ମାଣ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ଗୋଟିଏ ପଟେ ଶହୀଦ ସ୍ମୃତିସ୍ତମ୍ଭ ଦେଖି ଆଖି ବୁଜିବା ସ୍ବପ୍ନ ନେଇ ଆରପାରିକୁ ଚାଲିଯାଇଥିବା ଶହୀଦଙ୍କର ବାପା ମାଆଙ୍କ ନିକଟରେ ଯେ ପ୍ରଶାସନ ଦାୟୀ ଏହା ସ୍ପଷ୍ଟ । ସେପଟେ ଜିଲ୍ଲା ଗଠନକୁ ୨୫ ବର୍ଷ ପୁରିଥିଲେ ମଧ୍ୟ ୪୫ ଜଣ ଜିଲ୍ଲାପାଳଙ୍କ ବଦଳି କେଉଁଠି ନା କେଉଁଠି ସରକାରୀ ବୈମାତୃକ ମନୋଭାବକୁ ପ୍ରତିପାଦିତ କରୁଛି । ତେବେ ଏଥର ପ୍ରତିଶୃତି ଦେଇଥିବା ଜିଲ୍ଲାସ୍ତରୀୟ ପଦାଧିକାରୀଙ୍କ ପ୍ରତିଶ୍ରୁତି ପାଳନ ହେଉଛି ନା ପୁନଶ୍ଚ ଗଣମାଧ୍ୟମ ଆସନ୍ତା ବର୍ଷ ମଧ୍ୟ କଣ୍ଡିଆ ଗ୍ରାମବାସୀଙ୍କର ପ୍ରତିମୂର୍ତ୍ତି ନିର୍ମାଣ ଦାବି ନେଇ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚୁଛି ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details