କେନ୍ଦ୍ରାପଡ଼ା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିବେ ଓଡିଶାର କମଳା ମହାରଣାଙ୍କ ହାତ ତିଆରି ଜରି ରାକ୍ଷୀ। ଗତ ଫେବୃଆରୀ ମାସ 26 ତାରିଖ ଦିନ ମନ୍ କି ବାତର 98 ତମ ସଂସ୍କରଣରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି କମଳାଙ୍କୁ ନିଜ ଭଉଣୀ ବୋଲି ମଧ୍ୟ ସମ୍ବୋଧନ କରିଥିଲେ । ସେଥିପାଇଁ ଚଳିତବର୍ଷ ଭଉଣୀର କର୍ତ୍ତବ୍ୟ କରିଛନ୍ତି କମଳା ମହାରଣା । ଚଳିତ ରକ୍ଷା ବନ୍ଧନରେ ଭାଇ ତଥା ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରି ପଠାଇଛନ୍ତି କମଳା । ଏହି ରାକ୍ଷୀ ଏଣେତେଣେ ପଡ଼ିଥିବା ଜରିରୁ ହିଁ ତିଆରି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାକ୍ଷୀ ପଠେଇଥିବାରୁ ନିଜକୁ ଭାଗ୍ୟବାନ ମଣିଛନ୍ତି କମଳା।
ତେବେ ରାକ୍ଷୀ ପିନ୍ଧି ପୁଣି ଥରେ କମଳାଙ୍କୁ ପ୍ରଧାନମନ୍ତ୍ରୀ ମନେ ପକାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି କମଳା ମହାରଣା । ଏହି ରାକ୍ଷୀଟି ଜରି, ଅଠା, ଚୁମୁକି ଇତ୍ୟାଦି ଲଗାଯାଇ ପ୍ରସ୍ତୁତ ହୋଇଛି । ଭାରତୀୟ ଡାକ ବିଭାଗର ସହାୟତାରେ କମଳା ରାକ୍ଷୀ ପଠାଇଥିବାବେଳେ ବୁଧବାର ସୁଦ୍ଧା ଏହି ରାକ୍ଷୀ ଭାଇଙ୍କ ପାଖରେ ପହଞ୍ଚିଯିବ ବୋଲି କମଳା ଆଶା ରଖିଛନ୍ତି ।
କମଳା କହିଛନ୍ତି, "ଭଉଣୀ ସମ୍ବୋଧନ କରିଥିଲେ ସେଥିପାଇଁ ଭଉଣୀ ହୋଇ ଭାଇ ପାଖକୁ ରାକ୍ଷୀ ପଠାଇଲି। ମୋର କେହି ଭାଇ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋର ଭାଇ ଭଳି। ଯେଉଁ ଅନାବଶ୍ୟକୀୟ ଜରି ସାମଗ୍ରୀ ପାଇଁ ମତେ ପ୍ରଶଂସା ମିଳିଥିଲା, ସେହି ପଦ୍ଧତିରେ ହିଁ ରାକ୍ଷୀ ତିଆରି କରି ଭାଇଙ୍କ ନିକଟକୁ ପଠାଇଛି । ଭାଇଙ୍କୁ ପସନ୍ଦ ଆସିବ କି ନାହିଁ ଜାଣିନି। ଆଶା କରୁଛି ଏହି ରାକ୍ଷୀ ଖୁବଶୀଘ୍ର ତାଙ୍କ ପାଖରେ ପହଞ୍ଚିବ।"