କେନ୍ଦ୍ରାପଡା: ପଚ ପଚ କାଦୁଅ ଭିତରେ ରାସ୍ତାରେ ତଳି ରୋଇଲେ ଗାଁ ଲୋକେ । ମଙ୍ଗଳବାର କେନ୍ଦ୍ରାପଡା ବ୍ଲକ ବାରୁଅ ପଞ୍ଚାୟତର କଳାମାଟିଆ ଗାଁରେ ଦେଖିବାକୁ ମିଳିଛି କିଛି ଏଭଳି ଦୟନୀୟ ଦୃଶ୍ୟ ।
କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୭ କିଲୋମିଟର ଦୂରତା ରେ ରହିଛି କଳାମାଟିଆ ଗାଁ । ଗାଁରେ ୮୦ ପରିବାରର ପ୍ରାୟ ୫ ଶହରୁ ଅଧିକ ଲୋକେ ବସବାସ କରନ୍ତି । ହେଲେ ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଗାଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ନିଜ ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଏମାନେ । କିନ୍ତୁ ପ୍ରତିଥର ମିଳିଛି ପ୍ରତିଶ୍ରୁତି ଓ ପ୍ରତାରଣା ।
ମୁଖ୍ୟ ରାସ୍ତାରୁ ଗାଁ ମଧ୍ୟ କୁ ପ୍ରବେଶ ପାଇଁ ୧ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ । ଗାଁ ଭିତର ରାସ୍ତାର ଚିତ୍ର ତ ପୂରା ତଦ୍ରୁପ । ସମଗ୍ର ରାସ୍ତା ର ପ୍ରାୟ ୬୦ ଭାଗ ଏବେ ବି କଚ୍ଚା ରହିଛି । ବର୍ଷ ବର୍ଷ ଧରି ଏଠାରେ ଗୋଡି ମୁଠାଏ ବି ପକାଇନି ସମ୍ପୃକ୍ତ ବିଭାଗ । ରାସ୍ତା ନ ଥିବା ହେତୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ । ସାମାନ୍ୟ ବର୍ଷା ହେଲେ ସ୍କୁଲ,କଲେଜ ଯାଉଥିବା ପିଲା,ବୃଦ୍ଧ ଓ ରୋଗୀମାନଙ୍କ ଅବସ୍ଥା ନ କହିଲେ ଭଲ । କଳାମାଟିଆ ଗାଁ କୁ ଗାଡି ମଟର ଯିବା ଦୂରର କଥା ପଥଚାରୀ ବି ନାକେଦମ ।