କେନ୍ଦ୍ରାପଡ଼ା:ଉଦଘାଟିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଶୋଭରାଜି ପୂର୍ଣ୍ଣ ଭିତରକନିକା ମହୋତ୍ସବ । ଭିତରକନିକାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଗତ 2020 ମସିହାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିଲା ଭିତରକନିକା ମହୋତ୍ସବ । କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେବ ଏହି ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତବର୍ଷ ପୁଣିଥରେ ଆଡ଼ମ୍ବର ସହକାରେ ମହୋତ୍ସବ ଆରମ୍ଭ କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାନଳିତାପାଟିଆ ଠାରେ ଚାଲିଥିବା ଭିତରକନିକା ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ୠତୁରାଜ, ରାଜନଗର ବିଧାୟକ ଧୃବ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ଭିତରକନିକା ମହୋତ୍ସବର ପ୍ରଥମ ସନ୍ଧ୍ୟାକୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଦଘାଟନ କରି ଭାରତର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା "ଇଣ୍ଡିଆ ଟୁଡେ" ପକ୍ଷରୁ ଭିତରକନିକାକୁ ମିଳିଥିବା "ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ"ର ମାନ୍ୟତା ଟ୍ରଫିକୁ କେନ୍ଦ୍ରାପଡ଼ାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:Amit Shah Visit Odisha: ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ
ଏନେଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, " ପ୍ରକୃତିର ବିସ୍ମୟ ଭିତରକନିକା କେବଳ ରାଜନଗର ନୁହେଁ, ସାରା ଭାରତବର୍ଷରେ ପ୍ରକୃତି, ପରିବେଶ, ସରୀସୃପ, ରଙ୍ଗବେରଙ୍ଗର ପକ୍ଷୀ, ବଉଳା କୁମ୍ଭୀର, ଅଲିଭ ରିଡଲେ କଇଁଛ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ପାଇଁ ସାରା ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ୱାକ୍ଷର ଲିପିବଦ୍ଧ କରିଛି । " ପ୍ରକୃତିର ଏହି ଅବଦାନକୁ ବିଶ୍ୱ ଦରବାରରେ ଅଧିକ ପରିଚିତ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି, ପ୍ରଶାସନିକ ସହଯୋଗ, ସାଧାରଣ ଲୋକଙ୍କ ଉତ୍ସାହ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କର ସମ୍ମିଳିତ ସହଯୋଗର ଆବଶ୍ୟକତା ରହିଛି ।"
ଏହା ମଧ୍ୟ ପଢ଼ନ୍ତୁ:Bulldozer Action: ଗ୍ୟାଙ୍ଗଷ୍ଟର ଟିମନର ବାସଭବନ ଓ ଅଫିସ ଉପରେ ଚଢିଲା ବୁଲଡୋଜର
ଏହି ମହୋତ୍ସବ ତିନିଦିନ ଧରି ଚାଲିବ । ପ୍ରଥମ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ନୃତ୍ୟ ଓ ସଙ୍ଗୀତରେ ଝୁମିଥିଲେ ଦର୍ଶକ। କେନ୍ଦ୍ରାପଡ଼ାର ଐତିହ୍ୟ ଓ ଗୌରବ ଗାଥାକୁ ନୃତ୍ୟ ଓ ସଂଗୀତ ମାଧ୍ୟମରେ ପରିବେଷଣ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ ଏହି କଳାକାରମାନେ । ଅନ୍ୟପଟେ ବଲିଉଡ ଗାୟକ ଅଭିଜିତ ସାୱନ୍ତଙ୍କ ସଙ୍ଗୀତ ପରିବେଷଣରେ ଝୁମିଥିଲେ ଦର୍ଶକ । ଭିତରକନିକା ମହୋତ୍ସବର ଅନ୍ୟତମ ଆକର୍ଷଣ ସାଜିଥିଲେ ଓଲିଉଡ ଯୋଡି ସବ୍ୟସାଚୀ-ଅର୍ଚ୍ଚିତା । ସେମାନଙ୍କ ନୃତ୍ୟ ଓ ସଂଳାପ ପରିବେଷଣ ଦେଖଣାହାରୀଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା ।
ଇଟିଭି ଭାରତ, କେନ୍ଦ୍ରାପଡ଼ା