କେନ୍ଦ୍ରାପଡ଼ା: ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲାନି ବ୍ଲକ କି ଜିଲ୍ଲା ପ୍ରଶାସନ । ଫଳରେ ଆମରଣ ଅନଶନରେ ବସିଲେ ଗ୍ରାମବାସୀ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ତରାସ ପଞ୍ଚାୟତର ଗୁଆଳିଗାଁ ଗାଁର ଉନ୍ନୟନ କାର୍ଯ୍ୟ ପାଇଁ ଆଜି ଧାରଣାରେ ଗ୍ରାମବାସୀ । ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର । ଆଉ ସରକାରୀ ଯୋଜନାକୁ ବାଟମରଣା କରିବା ସହ ସରପଞ୍ଚ, ପିଇଓ ଓ ବିଡିଓ ଟଙ୍କା ହଡପ କରିଥିବାର ମଧ୍ୟ ସଙ୍ଗୀନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।
'ଦୁର୍ନୀତିଗ୍ରସ୍ତ ବିଡିଓ ଓ ପିଇଓଙ୍କୁ ଦଣ୍ଡିତ କର' - ଦୁର୍ନୀତିଗ୍ରସ୍ତ ବିଡିଓ
ସରକାରୀ ଯୋଜନାକୁ ବାଟମରଣା କରିବା ସହ ସରପଞ୍ଚ, ପିଇଓ ଓ ବିଡିଓ ଟଙ୍କା ହଡପ କରିଥିବାର ଅଭିଯୋଗ। କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ କେନ୍ଦ୍ରାପଡା ଗୁଆଳିଗାଁ ଗ୍ରାମବାସୀଙ୍କ ଆମରଣ ଅନଶନ।
2008 ମସିହା ଅଗଷ୍ଟ 25ରେ ଓ 2009 ନଭେମ୍ବର 18ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ପ୍ରକୋଷ୍ଠରେ ଏନେଇ ଅଭିଯୋଗ କରାଯାଇଥିଲା । ହେଲେ ଘଟଣାର ତଦନ୍ତ କରିବା ବଦଳରେ ହାତବାନ୍ଧି ଚୁପ ବସିଛି ଜିଲ୍ଲାପ୍ରଶାସନ । ସରକାରୀ କଳର ଏଭଳି ସ୍ଥାଣୁତା ଓ ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟୋଲରାନ୍ସ ଟୁ କରପସନ’ ନୀତି ଅଣଦେଖା କରାଯିବା ଉକ୍ତ ଗ୍ରାମବାସୀ ଓ ମା ମଙ୍ଗଳା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟ ଏକତ୍ରୀତ ହୋଇ ଆମରଣ ଅନଶନରେ ବସିଛନ୍ତି। ଆଉ ଯେ ପର୍ଯ୍ୟନ୍ତ ସରପଞ୍ଚ, ପିଇଓ ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ସେ ପର୍ଯ୍ୟନ୍ତ ଏହି ଅନଶନ ଚାଲୁ ରହିବ ବୋଲି କହିଛନ୍ତି ଅନଶନକାରୀ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ