କେନ୍ଦ୍ରାପଡା: କେନ୍ଦ୍ରାପଡା କିନ୍ନର ସଂଘ ସଭାନେତ୍ରୀ ଦେବୀକା ବାରିକଙ୍କୁ ହୋଇଥିବା ଆକ୍ରମଣର ପ୍ରତିବାଦରେ ଶୁକ୍ରବାର କେନ୍ଦ୍ରାପଡା ଏସପି ଅଫିସ ଘେରାଉ କରିଥିଲେ ଶହଶହ କିନ୍ନର । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ 500ରୁ ଉର୍ଦ୍ଧ୍ବ କିନ୍ନର ଆସି ଦେବୀକାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରି ଏହାର ସମାଧାନ ପାଇଁ ତଥା ଆଗାମୀ ଦିନରେ ଏଘଟଣାର ପୁନରାବୃତ୍ତି ନହେବା ପାଇଁ ଜିଲ୍ଲା ଏସପିଙ୍କୁ ଦାବିପତ୍ର ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ 10 ତାରିଖ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରାପଡା ସହର କଜଳା ନିକଟସ୍ଥ ଏକ ସରକାରୀ ଜାଗାରେ ଘର ତିଆରି କରିବା ନେଇ ଦେବୀକାଙ୍କୁ ପ୍ରଥମେ 50 ହଜାର ଟଙ୍କା ମାଗି ଓ ପରେ ମଦ ପିଇବା ପାଇଁ ଟଙ୍କା ମାଗି ବିଫଳ ହେବା ପରେ ଦେବୀକାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ସ୍ଥାନୀୟ ବସ୍ତିର କିଛି ଦୁର୍ବୃତ୍ତ । ଫଳରେ ଦେବୀକା ଆଇନର ଆଶ୍ରୟ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କେବଳ ନାମକୁ ମାତ୍ର କିଛି ଜଣଙ୍କୁ ଗିରଫ କରି ଚୁପ ହୋଇ ବସିଯାଇଥିବା ଅଭିଯୋଗ କରିଛନ୍ତି କିନ୍ନର ।