କେନ୍ଦ୍ରାପଡା:ପାଠ ପଢିଛନ୍ତି ବି.ଟେକ । କିନ୍ତୁ ବିଳାଶପୂର୍ଣ୍ଣ ଜୀବନ ବିତାଇବାକୁ ଗଞ୍ଜେଇ ଚୋରାଚାଲାଣ ରାସ୍ତାକୁ ବାଛି ନେଇଥିଲେ । ଉଚ୍ଚ ଶିକ୍ଷିତ ହୋଇ ଟଙ୍କା ରୋଜଗାର ପାଇଁ ଏପରି ପନ୍ଥା ଆପଣାଇଥିଲେ ଯୁବକ । ଆଉ ଏବେ ପୋଲିସ ହାତରେ ଧରାପଡି ଜେଲ୍ ଯାଇଛନ୍ତି । କେନ୍ଦ୍ରାପଡା ଅବକାରୀ ବିଭାଗ ଓ ମହାକାଳପଡ଼ା ପୋଲିସର ମିଳିତ ଚଢ଼ାଉ କରି ଏହି ନିଶା ବ୍ୟବସାୟୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛି ପ୍ରଭାତ ସାହାଣୀ ।
ଏହା ମଧ୍ୟ ପଢନ୍ତୁ-କେନ୍ଦୁପତ୍ର ହିତାଧିକାରୀ ପାଇବେ ୧୧୧ କୋଟି ସହାୟତା, ଉପକୃତ ହେବେ ୮ ଲକ୍ଷ
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଚଡେଇଗୁଆଁ ଗ୍ରାମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଅବକାରୀ ବିଭାଗ ନିକଟରେ ଖବର ରହିଥିଲା। ପ୍ରଭାତ ସାହାଣୀ ଏହି ଗ୍ରାମରେ ଗଞ୍ଜେଇ ବ୍ୟବସାୟ କରୁଥିଲେ । ଏଠାରୁ ବିଭିନ୍ନ ରାଜ୍ୟକୁ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିଲେ । ଅନେକ ସମୟରେ ପୋଲିସ ଆଖିରେ ଧୂଳି ଦେଇ ଖସିଯାଉଥିଲା ଅଭିଯୁକ୍ତ ଜଣଙ୍କ । କିନ୍ତୁ ଗତକାଲି ରାତିରେ କେନ୍ଦ୍ରାପଡା ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ମହାକାଳପଡା ପୋଲିସର ମିଳିତ ସହଯୋଗରେ ଚଡେଇଗୁଆଁ ଗ୍ରାମରେ ଚଢାଉକରି ଚାରି ବସ୍ତା ଗଞ୍ଜେଇ ଜବତ କରିଥିଲା। ଏଥି ସହିତ ପ୍ରଭାତଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ।