ଓଡିଶା

odisha

ETV Bharat / state

ବିଲିକଣା ପଞ୍ଚାୟତରେ ମହାଦୁର୍ନୀତି; ଗୋଟିଏ ରାସ୍ତା ପାଇଁ 3 ଥର ବିଲ, ଶୋଇଛନ୍ତି ସରକାର - bilikana panchayat

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତରେ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି। ଗୋଟିଏ ରାସ୍ତାକୁ 3 ଥର ବିଲ୍ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିବା ପରେ ତଦନ୍ତ ଦାବି କଲେ ସ୍ଥାନୀୟ ଗ୍ରାମବାସୀ। ଅଧିକ ପଢନ୍ତୁ...

ବିଲିକଣା ପଞ୍ଚାୟତ ମହାଦୂର୍ନୀତି, ଗୋଟିଏ ରାସ୍ତା ପାଇଁ 3 ଥର ବିଲ
ବିଲିକଣା ପଞ୍ଚାୟତ ମହାଦୂର୍ନୀତି, ଗୋଟିଏ ରାସ୍ତା ପାଇଁ 3 ଥର ବିଲ

By

Published : Oct 7, 2021, 7:39 AM IST

କେନ୍ଦ୍ରାପଡା:ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର 4ମାସ ବାକି ଥିବାବେଳେ କେନ୍ଦ୍ରାପଡାରୁ ଆସିବାରେ ଲାଗିଲାଣି ଏକାଧିକ ଦୁର୍ନୀତିର ଅଭିଯୋଗ। ୧୪ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ହଡପ ଘଟଣାରେ ବିବାଦ ଘେରରେ ରହିଥିବା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଉ ଏକ ବିବାଦ ଘେରକୁ ଆସିଛନ୍ତି । ଗତ ୪ବର୍ଷ ମଧ୍ୟରେ ଗୋଟିଏ ରାସ୍ତାକୁ ନାମ ପରିବର୍ତ୍ତନ କରି 3ଥର ବିଲ କରିଛନ୍ତି ଲକ୍ଷଲକ୍ଷ ଟଙ୍କା ହରିଲୁଟ କରିଥିବା ସୂଚନା ଅଧିକାର ଆଇନ ବଳରେ ଖୁଲାସା ହେଇଛି।

ବିଲିକଣା ପଞ୍ଚାୟତରେ ମହାଦୁର୍ନୀତି; ଗୋଟିଏ ରାସ୍ତା ପାଇଁ 3 ଥର ବିଲ

ସୂଚନାନୁଯାୟୀ, ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ପଞ୍ଚାୟତ ତେରୋହୀ ଗାଁର ଘେରିବନ୍ଧ ମୁଗପୋଇ ଠାରୁ ମକର ବେହେରାଙ୍କ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ୩ଲକ୍ଷ ଟଙ୍କା ବ୍ୟୟରେ ଶେଷ ହୋଇଥିବା ମନରେଗା ପୋର୍ଟାଲରେ ତଥ୍ୟ ମଧ୍ୟ ରହିଛି। ତେବେ ସମାନ ସ୍ଥାନରେ ୦୧ ଜୁନ ୨୦୨୦ରୁ ୨୦୨1ଫେବୃୟାରୀ ୦୪ ମଧ୍ୟରେ ପୂନର୍ବାର 6 ଲକ୍ଷ ବ୍ୟୟରେ ଏକ ମାଟିରାସ୍ତା ନିର୍ମାଣ ହୋଇ ଶେଷ ହୋଇଥିବା ବିଲ୍ ମଧ୍ୟ କରାଯାଇଛି । ତେବେ ପୂନର୍ବାର ଏହି କାମକୁ ନାମ ପରିବର୍ତ୍ତନ କରାଯାଇ ତୃତୀୟ ଥର ମଧ୍ୟ କରାଯାଇଛି । ତୃତୀୟ ଥରରେ 9 ଲକ୍ଷ ବ୍ୟୟରେ ଏହି ସ୍ଥାନରେ ଏକ କଲଭର୍ଟ କାମ ଗତବର୍ଷ ୧୦ ଜୁଲାଇରୁ ଆରମ୍ଭ ହୋଇ ଅଦ୍ୟାବଧି ନିର୍ମାଣ ଜାରି ରହିଥିବା ଦର୍ଶାଯାଇଛି।

ତେବେ ସବୁଠାରୁ ବଡ କଥାହେଲା ଗୋଟିଏ କାମକୁ ଗତ 4 ବର୍ଷ ମଧ୍ୟରେ 3 ଥର ବିଲ କରି ପ୍ରାୟ 15 ଲକ୍ଷ ଟଙ୍କା ହରିଲୁଟ ହୋଇଥିଲେ ସୁଦ୍ଧା ରାସ୍ତା କିନ୍ତୁ ବ୍ୟବହାର ଉପଯୋଗୀ ହୋଇପାରିନାହିଁ। ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାମ ବାବଦରେ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସରକାରୀ ତହବିଲରୁ ଖର୍ଚ୍ଚ କରାଯାଇଥିବା ବେଳେ ରାସ୍ତାର ଅବସ୍ଥା ଯେଉଁଠି ସେଇଠି ଅଧା ପାନ୍ତରିଆ ହୋଇ ରହିଛି ଏପରିକି ଏହି କାମ ମାତ୍ର ଥରେ ଜବକାର୍ଡ଼ ଜରିଆରେ ହୋଇଥିବା ବେଳେ ଦୁଇଥର ସମ୍ପୂର୍ଣ୍ଣ ବିଲ କିପରି ହୋଇଛି ସେନେଇ ପ୍ରଶ୍ନ ଉଠିଛି।ନିଜ ଘର ପାଖରେ ତିନିଥର କାମ ହୋଇଥିବା ତଥ୍ୟକୁ ମକର ବେହେରା ଖଣ୍ଡନ କରିଥିବା ବେଳେ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି।

ଆର୍ଥିକ ଚଞ୍ଚକତା କେବଳ ଏତିକିରେ ସମୀତ ନାହିଁ, ଚଳିତ ଆର୍ଥିକ ବର୍ଷରେ ତେରୋହୀ ଆଶ୍ରମ ଠାରୁ ଅଣ୍ଟା ଗାଁ ପର୍ଯ୍ୟନ୍ତ ମାଟି ମୋରମ ରାସ୍ତା ସହ କଲଭର୍ଟ ନିର୍ମାଣ ପାଇଁ ୬ମାସ ଆଗରୁ ମଞ୍ଜୁର ହୋଇଥିବା ବେଳେ ଏଯାବତ ମାଟି ମୁଠାଏ ମଧ୍ୟ ପଡି ନଥିବା କହିଛନ୍ତି ଗ୍ରାମବାସୀ । ଆଉ କିଛିଦିନ ପରେ ସରପଞ୍ଚଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଏପର୍ଯ୍ୟନ୍ତ କାମ ନକରିବା ଓ ଏହି ରାସ୍ତାରେ ଯାତାୟାତ ପାଇଁ ଗାଁ ଲୋକମାନେ ଚାନ୍ଦା ଆଦାୟ କରି ଶୋଠ ବସାଇବା ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେହିପରି ଶ୍ମଶାନରେ ଫୋଡର ଘାସ ଚାଷ ପାଇଁ ଅର୍ଥ ମଞ୍ଜୁର ହେବାକୁ ୬ମାସ ବିତିଥିବାବେଳେ ବର୍ତ୍ତମାନ ଉକ୍ତ ସ୍ଥାନରେ ପୋଖରୀ ସୃଷ୍ଟି ହୋଇଛି।

‘ସରକାରକା ମାଲ ପକେଟ ମେ ଡାଲ’ ନୀତିରେ ପଞ୍ଚାୟତ ଚାଲିଥିବାବେଳେ ସୂଚନାଧିକାର କର୍ମୀ ଏନେଇ ବିଧିବଦ୍ଧ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ତେବେ ଅଭିଯୋଗକୁ ସମ୍ପୃକ୍ତ ସରପଞ୍ଚ ଖଣ୍ଡନ କରିବା ସହ ନିର୍ବାହୀ ଅଧିକାରୀ ଏନେଇ ଜାଣିଥିବା କହିଛନ୍ତି। ସେହିପରି ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯାଇ ପଦକ୍ଷେପ ନେବେ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ। ତେବେ କେବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ହିଁ ଅପେକ୍ଷା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details