କେନ୍ଦ୍ରାପଡ଼ା: ଘଣ୍ଟ ଘଣ୍ଟା କରତାଳି ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ସଜେଇ ହୋଇ ଆସୁଛନ୍ତି ପ୍ରଭୁ ଲଛମନଜୀଉ । ଆମ୍ବ ବଉଳର ଅପୂର୍ବ ସମ୍ଭାର ଆଉ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିରେ ଭକ୍ତଙ୍କୁ ଦେବେ ଦର୍ଶନ। ଏଭଳି ନିଆରା ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ାର । ସାରା ଭାରତରେ ହୋଲି ଗତ ମଙ୍ଗଳବାର ଦିନ ପାଳିତ ହୋଇଥିବାବେଳେ ପରମ୍ପରା ଓ ବିଧି ମୁତାବକ କେନ୍ଦ୍ରାପଡ଼ାରେ ଦୋଳ ପୂର୍ଣ୍ଣିମାର ପଞ୍ଚମ ଦିନରେ ପାଳିତ ହୋଇଥାଏ ହୋଲି ଉତ୍ସବ, ଯାହାକୁ ‘ପଞ୍ଚୁଦୋଳ’ କୁହାଯାଏ । ବଳଦେବଜୀୟୁ ରଙ୍ଗ ଖେଳିବା ପରେ ଜିଲ୍ଲାରେ ହୋଲି ଖେଳନ୍ତି ଲୋକେ ।
ପ୍ରଭୁ ଲଛମନଜୀଉ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଥାନରେ ଭୋଗଖାଇ ବଳଦେବଜୀଉଙ୍କର ଛାମୁ ମେଳଣରେ ପହଞ୍ଚିଥାଆନ୍ତି । ଏହା ମେଳଣର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲିଟିଥାଏ । ଦୋଳ ପୂର୍ଣ୍ଣିମା ଯିବାର ଚାରିଦିନପରେ ବଳଦେବଜୀୟୁଙ୍କ ରଥ ଦାଣ୍ଡରେ ‘ଛାମୁ ମେଳଣ’ ଅନୁଷ୍ଠିତ ହୋଇଥାଏ। ଏହି ମେଳଣର ମୁଖ୍ୟ ପ୍ରଭୁ ଲଛମନଜୀଉ ଓ ରାମଜୀଉ ପରସ୍ପର ବଳଦେବଜୀଉଙ୍କ ସାମ୍ନାରେ ବସିବା ପରେ ଏହି ମେଳଣ ଆରମ୍ଭ ହେଉଥିବାରୁ ଏହାକୁ ଛାମୁ ମେଳଣ ମଧ୍ୟ କୁହାଯାଇଥାଏ । ମେଳଣର ମୁଖ୍ୟ ଆକର୍ଷଣ କୁଶିଆପାଳ ବାଲିପାଟଣାରେ ପୂଜା ପାଉଥିବା ପ୍ରଭୁ ଲଛମନଜୀଉ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଥାନରେ ଭୋଗଖାଇ ପୁରୁଣା ମଟର ଷ୍ଟାଣ୍ଡରେ ହେଉଥିବା ମେଳଣରେ ଯୋଗଦେଇ ପ୍ରାତଃ ସମୟରେ ବଳଦେବଜୀଉଙ୍କର ଛାମୁ ମେଳଣରେ ପହଞ୍ଚିଥାଆନ୍ତି । ଏହି ପରମ୍ପରା ମରହଟ୍ଟା ଶାସନ କାଳରୁ ଚାଲି ଆସୁଥିବା ଇତିହାସ କହେ ।