କେନ୍ଦ୍ରାପଡ଼ା: ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ରଥଯାତ୍ରା ପରେ କେନ୍ଦ୍ରାପଡ଼ା ଲୋକଙ୍କର ଦ୍ଵିତୀୟ ଗଣପର୍ବ ହେଉଛି ମା' ଗଜଲକ୍ଷ୍ମୀଙ୍କ ପୂଜା । 96 ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡ଼ାର ଏହି ଗଣପର୍ବ । ୧୯୨୨ରୁ ୨୩ ମସିହା ମଧ୍ୟରେ ବଡ଼ବାବାଜି ଶ୍ରୀ ରାଧାରମଣ ଦେବ କେନ୍ଦ୍ରାପଡା ଆଗମନ କରିଥିଲେ । ପରେ ତାଙ୍କ ଅବସ୍ଥାନ କାଳରେ ଏହି ପର୍ବ ସର୍ବପ୍ରଥମେ ବଡକୋଠା ସମ୍ମୁଖରେ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ ବୋଲି ଲୋକ କଥାରୁ ଶୁଣାଯାଏ ।
ରାଧାରମଣ ଦେବ କେନ୍ଦ୍ରାପଡା ଆଗମନ କରିବାର ଠିକ ୪ ରୁ ୫ ବର୍ଷ ପରେ କିଛି କେନ୍ଦ୍ରାପଡ଼ା ସହରବାସୀ ବଳଦ ଗାଡି ଧରି ସେ ସମୟର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସାନମଙ୍ଗ ଗ୍ରାମକୁ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେମାନେ ସହରର ସମସ୍ତ ସାହି ମୁରବିମାନଙ୍କ ନିଷ୍ପତ୍ତି କ୍ରମେ କେନ୍ଦ୍ରାପଡା ସହରରେ ଗଜଲକ୍ଷ୍ମୀ ମୂର୍ତ୍ତି ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ । ଯାହାଫଳରେ ୧୯୨୮ ମସିହା ସର୍ବପ୍ରଥମେ କେନ୍ଦ୍ରାପଡା ସହରସ୍ଥିତ ପୁରୁଣା ବସଷ୍ଟାଣ୍ଡ ଆଜିର (ଥାନପତି) ରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା । ସେ ସମୟରେ ମୋଟ 5ଟି ମୁଣ୍ମୟୀ ପ୍ରତିମା ନିର୍ମାଣ କରାଯାଇଥିଲା ବୋଲି କୁହନ୍ତି ସାହି ମୁରବୀ । ମା' ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାର ନିର୍ମାଣକର୍ତ୍ତା ବଡହାଟରେ ବସବାସ କରୁଥିବା ଧନେଶ୍ଵର ମହାରଣାଙ୍କ ଜେଜେବାପା ବୋଲି କିମ୍ବଦନ୍ତୀ କୁହେ ।
ତେବେ ପ୍ରଥମ କରି ୧୯୩୯ ମସିହାରେ ସହରର ତୁଳସୀ ବଜାର, କାକଟ, ବଳଗଣ୍ଡି ବଜାରର ମେଢ଼ ଶୋଭାଯାତ୍ରାରେ ଆସି ମେଲଣ ପଡିଆରେ ପହଞ୍ଚିବେ ବୋଲି ସ୍ଥିର କରାଯାଇଥିଲା । ସେହିପରି ୧୯୪୫ ମସିହାରେ ସହରର ସାନ୍ତସାହି, କେଶପୁର, ଗୋପ, ମହିପାଳ, ଖଡ଼ିଅଙ୍ଗ, ମଢିଆଳର ଗଙ୍ଗା ଭାଗିରଥୀ, ମା' ବୁଢ଼ୀ ବାସୁଲାଇ, ମୀର ପାଟଣା ଓ ଚାଟରା ପାଟଣାରେ ମା' ଗଜଲଷ୍ମୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ସହର ଉପକଣ୍ଠର ସମସ୍ତ ସାହିରେ ମା'ଗଜଲଷ୍ମୀ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୯-୧୦ ଦିନ ଧରି ଗଜଲକ୍ଷ୍ମୀ ପୂଜା କେନ୍ଦ୍ରାପଡା ଜନମାନସଙ୍କର ଗଣପର୍ବ ହୋଇଅଛି । ସେତେବେଳେ ସହରର ଲୋକସଂଖ୍ୟା ୧୮୦୦ ରୁ ଉର୍ଦ୍ଧ୍ବ ଥିଲେ । ଯାହା ଆଜି 50 ହଜାରରୁ ଅଧିକ ହେଲେଣି । ତେଣୁ ସହରର ଅତିକମରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଗଜଲକ୍ଷ୍ମୀ ମେଢ ମାନ ନିର୍ମିତ ହୋଇଥାଏ ।