ଓଡିଶା

odisha

ETV Bharat / state

ଭାଇଚାରାର ଭିନ୍ନ ଉଦାହରଣ, ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ସ୍ବାଗତ କଲେ ମୁସଲମାନ ସମ୍ପ୍ରଦାୟ

କେନ୍ଦ୍ରାପଡ଼ାରେ ସଦଭାବନା ଓ ଭାଇଚାରାର ସୁନ୍ଦର ଉଦାହରଣ । ହନୁମାନ ଜୟନ୍ତୀ ଅବସରରେ ବାହାରିଥିବା ଶୋଭାଯାତ୍ରାକୁ ସ୍ବାଗତ କଲେ ମୁସଲମାନ ସମ୍ପ୍ରଦାୟ । ଅଧିକ ପଢ଼ନ୍ତୁ

hanuman jayanti celebrated in kendrapara
କେନ୍ଦ୍ରାପଡ଼ାରେ ହନୁମାନ ଜୟନ୍ତୀ ପାଳନ

By

Published : Apr 14, 2023, 10:56 PM IST

କେନ୍ଦ୍ରାପଡ଼ାରେ ହନୁମାନ ଜୟନ୍ତୀ ପାଳନ

କେନ୍ଦ୍ରାପଡ଼ା: ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ସମେତ ସାରା ଦେଶକୁ ସୁବାର୍ତ୍ତା ଦେଇଛନ୍ତି କେନ୍ଦ୍ରାପଡ଼ାବାସୀ । ଗୋଟିଏ ପଟେ ସମ୍ବଲପୁରରେ ସାମ୍ପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିବାବେଳେ ଅନ୍ୟପଟେ କେନ୍ଦ୍ରାପଡ଼ାରେ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଛି । ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଧର୍ମ ରକ୍ଷା ସେନା ପକ୍ଷରୁ ବାହାରିଥିବା ବିଶାଳ ଶୋଭାଯାତ୍ରାରେ ଜଳ ଓ ମୃଦୁ ପାନୀୟ ଦେଇ ଆପ୍ୟାୟିତ କରିଛନ୍ତି ମୁସଲମାନ ସମ୍ପ୍ରଦାୟ ଲୋକମାନେ । ଯାହାକି ସମାଜ ପାଇଁ ଏକ ଉଦାହରଣ ପାଲଟିଛି ।

ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସାରା ରାଜ୍ଯ । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ମହାଆଡ଼ମ୍ବର ସହକାରେ ଉତ୍ସବକୁ ପାଳନ କରାଯାଇଛି । ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିର ଅନ୍ୟୁନ ୮ ହଜାର ଭକ୍ତ ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ନିକଟରୁ ବାଦ୍ୟଯନ୍ତ୍ର ସହ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ଶୋଭାଯାତ୍ରାକୁ ସ୍ମରଣୀୟ କରାଇବା ଉଦ୍ଦେଶ୍ୟରେ ଏହାକୁ "ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା" ନାମକରଣ କରାଯାଇଥିବା ବେଳେ ଏଥିରେ ଉଭୟ ସମ୍ପ୍ରଦାୟ ସାମିଲ ହୋଇ ସମାଜକୁ ସୁବାର୍ତ୍ତା ଦେଇଛନ୍ତି । ଶୋଭାଯାତ୍ରାରେ ଆସିଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନଙ୍କୁ ପାନୀୟ ଜଳ ଓ ମୃଦୁ ପାନୀୟ ଜଳ ଦେବା ସହ ସେମାନଙ୍କର ଭବ୍ୟ ସ୍ବାଗତ କରିଥିଲେ । ଗୈରିକ ଲୋକଙ୍କ ମଧ୍ୟରେ ଧଳା ରଙ୍ଗର ଟୋପି, ସହରରେ ଭାଇଚାରର ପରିବେଶ ସୃଷ୍ଟି କରିଥିଲା ।

ଏନେଇ ଜାମା ମସଜିଦର ସାଧାରଣ ସମ୍ପାଦକ କହିଛନ୍ତି, "ଆମେ କେନ୍ଦ୍ରାପଡ଼ାବାସୀ ସମସ୍ତ ପର୍ବପର୍ବାଣୀକୁ ସାଙ୍ଗ ହୋଇ ପାଳନ କରିଥାଉ । ହୋଲି, ଦୀପାବଳି ଭଳି ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆବର୍ଷକୁ ମଧ୍ୟ ହିନ୍ଦୁ ଭାଇଙ୍କ ସହ ମିଶି ପାଳନ କରୁଛୁ । ଖାଲି ସେତିକି ନୁହେଁ ଇଦ, ବକ୍ରିଇଦ ଭଳି ପର୍ବକୁ ହିନ୍ଦୁ ଭାଇମାନେ କାନ୍ଧରେ କାନ୍ଧ ମିଳାଇ ପାଳନ କରି ସାରା ରାଜ୍ୟକୁ ଭାଇଚାରାର ବାର୍ତ୍ତା ଦେଇଥାନ୍ତି ।"

ସମ୍ବଲପୁରରେ ସାମ୍ପ୍ରଦାୟିକ ସମସ୍ୟା ଉପୁଜିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ସଦଭାବନା ଓ ଭାଇଚାରାର ନିଆରା ଉଦାହରଣ ଦେଖିବାକୁ ମିଳିଛି । ଧର୍ମ ଆଧାରରେ ପର୍ବ ପାଳନ ନହୋଇ ଭ୍ରାତୃତ୍ୱ ଭାବରେ ପର୍ବପର୍ବାଣି ପାଳନ କରାଯାଉ ବୋଲି କହିଛନ୍ତି ଯୁବ ସମାଜସେବୀ ତଥା କେନ୍ଦ୍ରାପଡ଼ା ପୋୖରାଧ୍ୟକ୍ଷାଙ୍କ ପ୍ରତିନିଧି । ଅନ୍ୟପଟେ ସହରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଜଣ ଅତିରିକ୍ତ ଏସପି, ୬ଜଣ ଡ଼ିଏସପିଙ୍କ ସମେତ ଜିଲ୍ଲାର ସମସ୍ତ ଆଇଆଇସିଙ୍କୁ ନିଯୁକ୍ତ କରାଯାଇଥିଲା । ସେହିପରି ଏକଜେକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଭାବେ ୪ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details