କେନ୍ଦ୍ରାପଡା: ସିଲଭର ସିଟି କଟକକୁ ଭାଇଚାରାର ସହର ବୋଲି କୁହାଯାଏ । କାରଣ ବାରମାସ ତେର ପର୍ବକୁ ଏଠାରେ ମିଶିକରି ପାଳିଥାନ୍ତି ଉଭୟ ହିନ୍ଦୁ ଓ ମୁସଲିମ । ହେଲେ କଟକ ପରେ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ଏହି ଭାଇଚାରାର ନିଦର୍ଶନ । ଦୁର୍ଗାପୂଜା ଠୁ ନେଇ ବିବାହ ଓ ବ୍ରତ ସବୁକିଛି ଏକାଠି ପାଳୁଛନ୍ତି ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ । ପରସ୍ପର ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଦିଅନ୍ତି ଉଭୟ । ଏପରି ଏକ ସମ୍ପର୍କର ସେତୁ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ପଳସୁଧାରେ ।
୨୦୦୮ରୁ ପଳସୁଧାରେ ହୋଇଆସୁଛି ମା' ଦୁର୍ଗାଙ୍କ ପୂଜା । ୧୪ବର୍ଷରେ ପହଞ୍ଚିଛି ପୂଜା । ପୂଜାରେ ଏକାଠି ହୁଅନ୍ତି ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ । ପୂଜା ପୂର୍ବରୁ ପ୍ରସ୍ତୁତିରେ ଲାଗି ପଡନ୍ତି ଦୁଇ ସମ୍ପ୍ରଦାୟ । ଉଭୟ ସମ୍ପ୍ରଦାୟର ଯୁବଗୋଷ୍ଠୀ ପୂଜା ପାଇଁ ଚାନ୍ଦା ଆଦାୟ କରନ୍ତି । ଆଉ ମା'ଙ୍କ ସ୍ବାଗତରେ ଲାଗିପଡନ୍ତି । ପ୍ରତିବର୍ଷ ମା'ଙ୍କ ପୂଜାରେ ସାମିଲ ହୁଅନ୍ତି ଏହି ଦୁଇ ସମ୍ପ୍ରଦାୟ । ପ୍ରାୟ ୧ ଲକ୍ଷ ବ୍ୟୟରେ ପୂଜା ହୁଏ । ସନ୍ଧ୍ୟାରେ ଜମେ ଭଜନର ଆସର । ଖାଲି ଦୁର୍ଗାପୂଜା ନୁହେଁ ବିବାହଠୁ ନେଇ ବ୍ରତ ଆଉ ରମଜାନଠୁ ନେଇ ଇଦ୍ ସବୁ ପର୍ବ ପରମ୍ପରାକୁ ପାଳନ କରନ୍ତି ପରସ୍ପର । ଗୋଟିଏ ପଟେ ମସଜିଦରୁ "ଆଲ୍ଲା ହୋ ଅକବର" ଶୁଭୁଥିବାବେଳେ ଅନ୍ୟପଟରୁ ଶୁଭେ ମା' ଦୁର୍ଗାଙ୍କ ସ୍ତୁତି ।