କେନ୍ଦ୍ରାପଡା: ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ପବିତ୍ର ପ୍ରଧାନ ମୃତ୍ୟୁ ମାମଲା । ଘଟଣାକୁ ବର୍ଷେ ବିତିବାକୁ ଯାଉଥିବା ସତ୍ତ୍ବେ ରହସ୍ୟ ଉପରୁ ଉଠିପାରୁନି ପରଦା । ତେବେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ପବିତ୍ର ପ୍ରଧାନଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।
ସୂଚନା ଅନୁସାରେ, ପବିତ୍ର ପ୍ରଧାନ ତାଙ୍କର ଗୁଲନଗର ପଞ୍ଚାୟତସ୍ଥିତ ଦଣ୍ଡାମୁଣ୍ଡ ଛକ ଠାରେ ଥିବା ଏକ ଦୁଇ ମହଲା ବିଶିଷ୍ଟ ଘରକୁ ୨୦୨୨ ମାର୍ଚ୍ଚ ମାସ ୨୫ ତାରିଖ ଦିନ ଭଡ଼ା ଟଙ୍କା ଆଦାୟ କରିବା ପାଇଁ ଆସିଥିଲେ । ଉକ୍ତଦିନ ପବିତ୍ର ତାଙ୍କ ଘର ଉପର ମହଲାରେ ରହିଥିଲେ । ତେବେ ମଧ୍ୟ ରାତ୍ରିରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା ବୋଲି ପବିତ୍ର ପ୍ରଧାନଙ୍କ ପୁଅକୁ ଫୋନ କରି କହିଥିଲେ ଭଡାରେ ରହୁଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ । ତେବେ ପୁଅ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ତେବେ ତାଙ୍କ ମୃତ୍ୟୁକୁ ସନ୍ଦେହ କରିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ମୃତ ପବିତ୍ରଙ୍କ ପରିବାର ପକ୍ଷରୁ ପ୍ରଥମେ ସଦର ଥାନା,ଏସପି ଅଫିସ ଓ ପରେ ଡିଜି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କେହି କର୍ଣ୍ଣପାତ ନକରିବା କାରଣରୁ ସେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ଘଟଣାରେ ଜିଲ୍ଲା ପୋଲିସ ତଦନ୍ତ କରୁନଥିବା ଅଭିଯୋଗ କରିବା ସହ ଉଚିତ ନ୍ୟାୟ ଦାବିରେ ମୃତକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ମାମଲା ଦାଏର କରିଥିଲେ ।