ଓଡିଶା

odisha

ETV Bharat / state

ପରିଣତ ବୟସରେ ରୋଗ ବ୍ୟାଧି, ସରକାରୀ ସହାୟତା ଅପେକ୍ଷାରେ କାର୍ତ୍ତିକଙ୍କ ପରିବାର - ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର

ବିଛଣାରେ ଶୋଇଛନ୍ତି ରୋଗୀଣା ସ୍ତ୍ରୀ । ଘରେ ବଢ଼ଲା ଝିଅ । ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ମଧ୍ୟ ରୋଗାଗ୍ରସ୍ତ ହୋଇ ଘରେ ରହିଛନ୍ତି । ଏଭଳି ସ୍ଥିତିରେ ତିନିପ୍ରାଣୀ କିଭଳି ଚଳିବେ ସେନେଇ ଚିନ୍ତାରେ । ଅଧିକ ପଢ଼ନ୍ତୁ

Helpless husband and wife in kendrapara
ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର

By

Published : Dec 30, 2022, 5:33 PM IST

ପରିଣତ ବୟସରେ ରୋଗ ବ୍ୟାଧି

କେନ୍ଦ୍ରାପଡ଼ା: ଶରୀରରେ ଚମ କୁଞ୍ଚିତ ହେଲାଣି, କାମ କରିବାକୁ ବଳ ପାଉନାହିଁ । ପରିଣତ ବୟସରେ ବଇରି ସାଜିଛି ରୋଗ । ଖାଲି ସେତିକି ନୁହେଁ, ବିଛଣାରେ ପଡିଛି ରୋଗୀଣା ସ୍ତ୍ରୀ ଆଉ ଘରେ ବଢିଲା ଝିଏ । ଏହି ସବୁ ଚିନ୍ତାରେ ବୁଡ଼ି ରହିଛନ୍ତି ଜଣେ ରୋଗାଗ୍ରସ୍ତ ବୃଦ୍ଧି । ବୟସରେ ଅପରାହ୍ନରେ ରୋଗ ଦାଉ ସାଧିବାରୁ ହାତ ବାନ୍ଧି ବସିଛନ୍ତି । ଆମେ କହୁଛୁ କେନ୍ଦ୍ରାପଡ଼ା ବ୍ଲକ କୁତୁରଙ୍ଗ ପଞ୍ଚାୟତ ବିଲ ମୁଗବାଡି ଗାଁର କାର୍ତ୍ତିକ ସେଠୀଙ୍କ କଥା । ସରକାରୀ ସହାୟତା ଯୋଗାଇଦେବାକୁ ତିନି ପ୍ରାଣୀ ଆକୁଳ ନିବେଦନ କରିଛନ୍ତି ।

ବୟସ ୭୨ ଟପିଲାଣି । ରାଜମସ୍ତ୍ରୀ ଭାବେ କାମ କରୁଥିଲେ କାର୍ତ୍ତିକ । ସେଥିରୁ ଯାହା ମିଳୁଥିଲା ତେଲଲୁଣ କରି ପରିବାର ଚଳୁଥିଲା । ହେଲେ କିନ୍ତୁ ଅଦିନିଆ କଳାମେଘ ପରି ଦୁଃଖ ଯେମିତି ମାଡ଼ି ଆସିଲା କାର୍ତ୍ତିକଙ୍କ ପରିବାରରେ । 6 ବର୍ଷ ତଳେ କାର୍ତ୍ତିକଙ୍କ ପତ୍ନୀ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିଲେ । ଜମିବାଡି଼ ବିକ୍ରି କରି ପତ୍ନୀଙ୍କ ଚିକିତ୍ସା କରାଇଲେ । ଯେତିକି ଅର୍ଥ ସଞ୍ଚିଥିଲେ ସବୁ ସ୍ତ୍ରୀଙ୍କ ଚିକିତ୍ସାରେ ସରିଗଲା । ପତ୍ନୀଙ୍କ ସେବା କରିବା ସମୟରେ ନିଜେ ରୋଗରେ ଆକ୍ରାନ୍ତ ହେଲେ କାର୍ତ୍ତିକ । ଯକ୍ଷ୍ମା(ଟିବି) ରୂପକ ରୋଗ ତାଙ୍କୁ ଗ୍ରାସ କରିଲା । କାର୍ତ୍ତିକ ନିଜ ରୋଗର ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି କଟକ ବଡ଼ ଡ଼ାକ୍ତରଖାନା ପର୍ଯ୍ୟନ୍ତ ଯା ଆସ କରି ଅର୍ଥ ଶେଷ ହୋଇଗଲା । ତେଣୁ ଚିକିତ୍ସା ଅଭାବରୁ କାର୍ତ୍ତିକଙ୍କ ପତ୍ନୀ ଶଯ୍ୟଶାୟୀ ହୋଇ ବିଛଣାରେ ପଡ଼ିରହିଛନ୍ତି । ରୋଗ ହେବାରୁ କାର୍ତ୍ତିକ କାମ କରିବାକୁ ସକ୍ଷମ ହେଲେ ନାହିଁ । ଫଳରେ ହାତବାନ୍ଧି ବସିଛନ୍ତି । ବାର ଦ୍ବାର ମାଗି ଯାହା ମିଳୁଛି ସେଥିରେ ତିନି ପ୍ରାଣୀ ଚଳୁଛନ୍ତି । ଦିନେ ଖାଇଲେ ଦିନେ ଓପାସ । ସେପଟେ ଘରେ ରହିଛି ବଢ଼ିଲା ଝିଅ । ଅର୍ଥ ଅଭାବରୁ ଝିଅର ବାହାଘର କରିବା ନେଇ ସେ ଚିନ୍ତାରେ ରହିଛନ୍ତି ।

ସରକାରୀ ସହାୟତା କହିଲେ 15 କିଲୋ ଚାଉଳ, ଦୁଇ ପ୍ରାଣୀଙ୍କୁ ମାସିକ ଭତ୍ତା । କିନ୍ତୁ ସେଥିରେ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡ଼ିଛି । ଅଭାବୀ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାକୁ ଘର କହିଲେ ଗୋଟିଏ ବଖରା ପୁରୁଣା କୋଠା ସାଙ୍ଗକୁ ଗୋଟିଏ ବଖରା ଚାଳ ଛପର ଘର ।

ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ପଚାରିବାରୁ ସେ କାର୍ତ୍ତିକଙ୍କ ପରିବାର ପାଇଁ ସରକାର ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଖୁବଶୀଘ୍ର ଏହି ଦମ୍ପତ୍ତିଙ୍କ ପାଖକୁ ମେଡ଼ିକାଲ ଟିମ ପଠାଇ ଚିକିତ୍ସା କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦାରିଦ୍ର୍ୟର ଅନ୍ଧାରୀ ମୂଲକରେ କାର୍ତ୍ତିକଙ୍କ ପରିବାର । ଏହି ଅଭାବୀ ପରିବାରକୁ ପ୍ରଶାସନ ପକ୍ଷରୁ କେଉଁ ପ୍ରକାର ସାହାଯ୍ୟ ମିଳୁଛି , ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details