କେନ୍ଦ୍ରାପଡା: "ସଂସାର ଯୁଦ୍ଧରେ ହାରିଯାଇ ଏଭଳି କରିବାକୁ ବାଧ୍ୟ ହେଲି । ଏହା ବ୍ୟତୀତ ଅନ୍ୟ ଉପାୟ କିଛି ନଥିଲା । ଭଉଣୀର ଆଖି ଲୁହର ଦୁଃଖ ସହି ପାରିଲିନି । ଲୁହ ପୋଛିବା ପରିସ୍ଥିତି ବି ନାହିଁ । ମୋ ଭାଗ୍ୟ ମୋତେ ଏପରି କରେଇଛି । ଏଥିଲାଗି କେହି ଦାୟୀ ନୁହନ୍ତି । ଜୟ ଜଗନ୍ନାଥ ।" ଏଭଳି କିଛି ଲେଖି ଜଣେ ବ୍ୟକ୍ତି ନିଜ ଜୀବନ ହାରିଛନ୍ତି । ରାସ୍ତା କଡରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ ।
ସୂଚନା ଅନୁସାରେ, ସୋମବାର ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଗୁଆ ଚଉଦକୁଲାଟ ରାସ୍ତାର ପଳସିଂହା ଗାଁ ପାଖ ଏକ ଗଛରେ ଜଣେ ଅଜଣାଙ୍କ ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ଦେଖିବାକୁ ମିଳିଥିଲା । OR05 AT 6322 ନମ୍ବର ବିଶିଷ୍ଟ ଏକ ମଟର ସାଇକେଲ ମଧ୍ୟ ଏହି ମୃତକ ଝୁଲୁଥିବା ଗଛ ନିକଟରେ ରହିଥିଲା । ଏହାସହ ଗଛ ନିକଟରେ ବ୍ୟକ୍ତି ଜଣଙ୍କର ଚପଲ ଓ ଏକ ବିଷାକ୍ତ ଦ୍ରବ୍ୟ ବୋତଲ ମଧ୍ୟ ପଡ଼ିଥିଲା । ତେବେ ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚଉଦକୁଲାଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସନ୍ଦେହ ସୃଷ୍ଟି କରିଛି । ସେପଟେ ଗାଡି ନମ୍ବରରୁ ଏହା ରାଉରକେଲାର ସେକ୍ଟର-18ର ବାସିନ୍ଦା ବୋଲି ଜଣା ପଡିଛି ।