କେନ୍ଦ୍ରାପଡ଼ା:ପୂର୍ବ ଶତ୍ରୁତା ଓ ଗୋଚାଲାଣକୁ ପ୍ରତିବାଦ କରିବାରୁ ବଜରଙ୍ଗ ଦଳ ମହାକାଳପଡ଼ା ପ୍ରଖଣ୍ଡ ସହ ସଂଯୋଜକଙ୍କୁ ଗୁଳିମାଡ଼ ଅଭିଯୋଗ ହୋଇଛି । ଆଜି(ଶନିବାର) ଅପରାହ୍ନରେ ଆଇଆଇସିଙ୍କୁ ଭେଟି ବଜାରରେ ବଜରଙ୍ଗ ଦଳର କଛି କର୍ମୀ ଖାଉଥିବା ବେଳେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଆହତଙ୍କୁ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ବଜରଙ୍ଗ ଦଳ ସହସଂଯୋଜକଙ୍କୁ ଗୁଳିମାଡ ଅଭିଯୋଗ ଅଭିଯୋଗ ଅନୁଯାୟୀ, ମହାକାଳପଡ଼ା ପ୍ରଖଣ୍ଡର ବଜରଙ୍ଗ ଦଳ ସହସଂଯୋଜକ ଲକ୍ଷ୍ମଣ ମଲିକଙ୍କ ସମେତ ଅନ୍ୟ କିଛି ଦଳୀୟ କର୍ମୀ କୌଣସି କାମରେ ମହାକାଳପଡ଼ା ବାରଡାଙ୍ଗ ଯାଇ ଅପରାହ୍ନରେ ଆଇଆଇସିଙ୍କୁ ଭେଟି ବଜାରରେ ଥିବା ଏକ ହୋଟେଲରେ ଖାଉଥିବା ବେଳେ ଦୁଇଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଗାଡି ନେଇ ଚାଲି ଯାଉଥିଲା ବେଳେ ଲକ୍ଷ୍ମଣ ଦୌଡିଯାଇ ଉକ୍ତ ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ।
ତେବେ ଜଣେ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଲକ୍ଷ୍ମଣଙ୍କ ଉପରକୁ ଚଳାଇଥିବା ବେଳେ ପ୍ରଥମ ରାଉଣ୍ଡ ଗୁଳି ସୌଭାଗ୍ୟବଶତଃ ଖସି ଯାଇଥିଲା ଓ ଦ୍ବିତୀୟ ଗୁଳିଟି ଲକ୍ଷ୍ମଣଙ୍କ ପାଦରେ ବାଜିଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମଣ । ସଙ୍ଗେସଙ୍ଗେ ଲକ୍ଷ୍ମଣଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଗୁଳିମାଡ଼ ଫଳରେ ଲକ୍ଷ୍ମଣଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ଏହା ଗୁଳିମାଡ଼ ହୋଇଛି କି ନା ତାହା ସ୍କାନ କରିବା ପରେ ଜଣାପଡିବ ବୋଲି କହିଛନ୍ତି ଲକ୍ଷ୍ମଣଙ୍କୁ ଚିକିତ୍ସା କରୁଥିବା ଡାକ୍ତର।
ଗତ କିଛିଦିନ ଧରି ଲକ୍ଷ୍ମଣ ଓ କିଛି ବଜରଙ୍ଗ ଦଳର ସହଯୋଗୀ ଦୁଇଟି ଗୋରୁଭର୍ତ୍ତି ଗାଡିକୁ ଅଟକାଇ ଥାନାକୁ ନେଇଥିବା ବେଳେ ଏହି ଗୁଳିମାଡ଼ ଉକ୍ତ କାରଣ ଯୋଗୁଁ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ଆହତ ଲକ୍ଷ୍ମଣ। ତେବେ ବଜରଙ୍ଗ ଦଳର ଜଣେ ଛାମୁଆ କର୍ମୀଙ୍କୁ ଗୁଳିମାଡ଼ ହୋଇଥିବା ଶୁଣିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶହଶହ ବଜରଙ୍ଗ ଦଳର କର୍ମୀଙ୍କ ଭିଡ଼ ଜମିବାରେ ଲାଗିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ