ଓଡିଶା

odisha

ETV Bharat / state

ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ: ଲୋକଙ୍କୁ ଭେଟିଲେ, ସମସ୍ୟା ବୁଝିଲେ - kendrapara news

Governor visits Kendrapara: କେନ୍ଦ୍ରାପଡ଼ା ଜିଲ୍ଲରେ କେନ୍ଦ୍ରୀୟ ଯୋଜନାର ତଦାରଖ କଲେ ରାଜ୍ୟପାଳ । ଏହାସହ ବିଭିନ୍ନ ବର୍ଗର ଲୋକଙ୍କୁ ସିଧାସଳଖ ଭେଟିଲେ ରାଜ୍ୟପାଳ ରଘୁବର ଦାସ ।ଅଧିକ ପଢନ୍ତୁ

ଶେଷ ହେଲା ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ
ଶେଷ ହେଲା ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ

By ETV Bharat Odisha Team

Published : Jan 7, 2024, 11:06 AM IST

ଶେଷ ହେଲା ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡ଼ା:ଶେଷ ହେଲା ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ । ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡା ସ୍ଥିତ ବଳଦେବଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରି ରାଜ୍ୟର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ରାଜ୍ୟପାଳ ରଘୁବର ଦାସ । ପରେ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚି ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ । ବଳଦେବଜୀଉ ମନ୍ଦିରରୁ ଆରମ୍ଭ ହୋଇଥିବା ଗସ୍ତ ସନ୍ଧ୍ୟାରେ ଡେରାବିଶ୍ ସ୍ଥିତ ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ ପାଖରେ ଶେଷ ହୋଇଥିଲା । ଗୋଟିଏ ଦିନରେ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀମାନେ ସଠିକ ସେବା ପାଉଛନ୍ତି ନା ନାହିଁ ସେନେଇ ଟିକିନିଖି ତଦାରଖ କରିଥିଲେ ରାଜ୍ୟପାଳ ।

ଗସ୍ତ ଆରମ୍ଭରେ ଜିଲ୍ଲାର ଜଜାଙ୍ଗ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ । ଅଙ୍ଗନବାଡି କେନ୍ଦ୍ର ସଂସ୍କାରର ମନ୍ଦିର ତେଣୁ ଶିଶୁମାନଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେବା ଦରକାର । ଏହାସହ ସେ ଶିଶୁ, ଅଭିଭାବକ ଓ ଅଙ୍ଗନବାଡି କର୍ମୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ରାଜ୍ୟପାଳ ମହିଳା ଗୋଲଡେନ୍ ଗ୍ରାସ କାରିଗରମାନଙ୍କୁ ମଧ୍ୟ ଭେଟିଥିଲେ ।

ପରେ ରାଜ୍ୟପାଳ ପଟ୍ଟାମୁଣ୍ଡାଇ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ, ଭାରତ ଏକ ଯୁବ ଦେଶ । ଯୁବଶକ୍ତି ଓ ସାମର୍ଥ୍ୟର ସଫଳ ଉପଯୋଗରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପର ବିକଶିତ ଭାରତ ଗଠନ ହୋଇପାରିବ । ବର୍ତ୍ତମାନ ସମୟ ହେଉଛି ଦକ୍ଷତା ଓ ନବସୃଜନର । ନୂତନ ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ଵ ଆରୋପ କରାଯାଇଛି । ଏହାସହ ପଟ୍ଟାମୁଣ୍ଡାଇ ଅଡ଼ିଟୋରିୟମରେ କୃଷିକମାନଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ ରଘୁବର ଦାସ । ଜୈବିକ କୃଷିକୁ ଆପଣେଇବାକୁ ରାଜ୍ୟପାଳ ଜିଲ୍ଲାର କୃଷକମାନଙ୍କୁ କହିଥିଲେ । ଏହାସହ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ସହିତ ବିହିତ ପଦକ୍ଷେପ ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।


ଏହା ମଧ୍ୟ ପଢନ୍ତୁ...ପ୍ରୋଟୋକଲ ଭାଙ୍ଗିଲେ ରାଜ୍ୟପାଳ: ଗାଡିରୁ ଓହ୍ଲାଇ ଭଙ୍ଗା ଘର ଦେଖିଲେ, ପ୍ରତିଶ୍ରୁତି ଦେଲେ

ଅନ୍ୟପଟେ ଜିଲ୍ଲାର ଗାଙ୍ଗପଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ କେତେକ ଗୃହ ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ଇନ୍ଦୁପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରାଜ୍ୟପାଳ ଉତ୍ତମ ସ୍ୱାସ୍ଥ୍ୟ ବିକଶିତ ଦେଶର ମାନ ବୋଲି କହିବା ସହ ଗ୍ରାମାଞ୍ଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପହଞ୍ଚିବା ଦରକାର ବୋଲି କହିଥିଲେ ।

କେନ୍ଦ୍ରାପଡାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହ ସଂସ୍କୃତି ଭବନଠାରେ ସାକ୍ଷାତ କରିଥିଲେ । ଏହି ଅବସରରେ ରାଜ୍ୟପାଳ କହିଥିଲେ, "ମହିଳା ସଶକ୍ତିକରଣ ବିନା ଆତ୍ମନିର୍ଭର ଭାରତ ସମ୍ଭବ ନୁହେଁ l ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ମହିଳା ସଶକ୍ତିକରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ବଜାର ଚାହିଦା ମୁତାବକ ଉତ୍ପାଦ ସହ ପ୍ରଚାର ପ୍ରସାର ଉପରେ ଗୁରୁତ୍ଵ ଦେବା ଦରକାର l"

ତେବେ ରାଜ୍ୟପାଳ ରଘୁବର ଦାସ କେନ୍ଦ୍ରାପଡା ଜଜାଙ୍ଗ ଗାଁରେ ଏକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଭେଟି ଫେରୁଥିବା ବେଳେ ହଠାତ୍ ଏହି ଗାଁର ମହିଳା ସସ୍ମିତା ତ୍ରିପାଠୀ ରାଜ୍ୟପାଳଙ୍କ କାରକେଡ ଭାଙ୍ଗି ରାଜ୍ୟପାଳଙ୍କ ଗାଡି ଆଗକୁ ମାଡି ଯାଇଥିଲେ । ଉପସ୍ଥିତ ଥିବା ପୋଲିସ ଓ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ କାର୍ ପାଖକୁ ଯାଇ କିଛି କହିବାକୁ ଚେଷ୍ଟା କରିବାରୁ ରାଜ୍ୟପାଳ ନିଜେ କାର ଭିତରୁ ବାହାରି ଆସି ମହିଳାଙ୍କ କଥା ଶୁଣିଥିଲେ । ମହିଳାଙ୍କ ସମସ୍ୟା ଶୁଣି ତୁରନ୍ତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details