ଓଡିଶା

odisha

ETV Bharat / state

ଚାନ୍ଦିମେଢ଼ରେ ଝଲସୁଛନ୍ତି ଧନଦାତ୍ରୀ, ପୂଜା କମିଟି ମଧ୍ୟରେ ଲାଗିଛି ଅଳଙ୍କାର ପ୍ରତିଯୋଗିତା

କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯାଇଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ବିଭିନ୍ନ ପୂଜା ମଣ୍ଡପରେ ମଥା ମଣି ଠାରୁ ନେଇ ପାଦ ପାଉଁଜି ପର୍ଯ୍ୟନ୍ତ ସୁନା ଚାନ୍ଦି ଅଳଙ୍କାରରେ ଝଲସୁଛନ୍ତି ମା' ଧନଦାତ୍ରୀ । ତେବେ ଦୀର୍ଘ ବର୍ଷରୁ ପୂଜା ମଣ୍ଡପ ଗୁଡ଼ିକରେ ମା'ଙ୍କ ପାଖରେ ଲାଗି ହେଉଛି ବିଭିନ୍ନ ଅଳଙ୍କାର । ଅଧିକ ପଢ଼ନ୍ତୁ

ଚାନ୍ଦିମେଢ଼ରେ ଝଲସୁଛନ୍ତି ଧନଦାତ୍ରୀ, ପୂଜା କମିଟି ଗୁଡ଼ିକ ମଧ୍ୟରେ ଲାଗିଛି ଅଳଙ୍କାର ପ୍ରତିଯୋଗିତା
ଚାନ୍ଦିମେଢ଼ରେ ଝଲସୁଛନ୍ତି ଧନଦାତ୍ରୀ, ପୂଜା କମିଟି ଗୁଡ଼ିକ ମଧ୍ୟରେ ଲାଗିଛି ଅଳଙ୍କାର ପ୍ରତିଯୋଗିତା

By

Published : Oct 11, 2022, 9:45 PM IST

କେନ୍ଦ୍ରାପଡ଼ା: ଦୁର୍ଗତିନାଶିନୀ ମା' ଦୁର୍ଗା ଧରାପୃଷ୍ଠରୁ ବିଦାୟ ନେବାପରେ ଧନଦାତ୍ରୀ ଦେବୀ ମା' ଗଜଲକ୍ଷ୍ମୀ ଧରାବତରଣ କରିଛନ୍ତି । ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି କେନ୍ଦ୍ରାପଡ଼ା । କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯାଇଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । କରୋନା ପାଇଁ ଫିକା ପଡିଥିଲା ଏହି ପୂଜା । ଦୁଇ ବର୍ଷ ପରେ କଟକଣା କୋହଳ ହେବା ପରେ ଉତ୍ସବମୁଖର ହୋଇ ଉଠିଛି କେନ୍ଦ୍ରାପଡ଼ା । ସହରର ଅନେକ ମଣ୍ଡପରେ ମା' ଗଜଲକ୍ଷ୍ମୀ ପୂଜା ପାଉଥିବା ବେଳେ ପ୍ରାୟ ୮ଟି ସ୍ଥାନରେ ମଥା ମଣି ଠାରୁ ନେଇ ପାଦ ପାଉଁଜି ପର୍ଯ୍ୟନ୍ତ ସୁନା ଚାନ୍ଦି ଅଳଙ୍କାରରେ ଝଲସୁଛନ୍ତି ମା' । ତେବେ ଦୀର୍ଘ ବର୍ଷରୁ ଅନେକ ମଣ୍ଡପରେ ମା'ଙ୍କ ପାଖରେ ଲାଗି ହେଉଛି ବିଭିନ୍ନ ଅଳଙ୍କାର ।

ଚାନ୍ଦିମେଢ଼ରେ ଝଲସୁଛନ୍ତି ଧନଦାତ୍ରୀ, ପୂଜା କମିଟି ଗୁଡ଼ିକ ମଧ୍ୟରେ ଲାଗିଛି ଅଳଙ୍କାର ପ୍ରତିଯୋଗିତା

ଦୀର୍ଘ ଦୁଇ ବର୍ଷ ପରେ କେନ୍ଦ୍ରାପଡ଼ାରେ ବେଶ ଧୁମଧାମରେ ଗଜଲକ୍ଷ୍ମୀ ପୂଜା ପାଳନ ହେଉଛି । ଏହି ଅବସରରେ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ପୁରା ସହର । ସୁଉଚ୍ଚ ତୋରଣ ପୂଜା ବଜାରକୁ ବେଶ୍‌ ଆକର୍ଷଣୀୟ କରୁଛି । ବେଶ ଆନନ୍ଦ ଉଲ୍ଲାସର ମାହୋଲ ସୃଷ୍ଟି କରିଛି ପୂଜା ବଜାର । ଐତିହାସିକ ଗଜଲଷ୍ମୀ ପୂଜାରେ କେନ୍ଦ୍ରାପଡ଼ା ସହରକୁ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୂଜା ବଜାରରେ ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମା' ଲକ୍ଷ୍ମୀଙ୍କୁ ମଣ୍ଡପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବିଶେଷ କରି ମା'ଙ୍କ ମୂର୍ତ୍ତିରେ ଲାଗି ହୋଇଥିବା ସୁନା ଓ ଚାନ୍ଦିର ଅଳଙ୍କାର ଶ୍ରଦ୍ଧାଳୁଙ୍କ ମନ ମୋହୁଛି । ଧନଦାତ୍ରୀଙ୍କୁ ଦର୍ଶନ କରିବାକୁ ଶହଶହ ଭକ୍ତଙ୍କ ସମାଗମ ହେଉଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଚାନ୍ଦି ମେଢ଼ ଓ ଅଳଙ୍କାର ନେଇ ପ୍ରତିଯୋଗିତା

ମା' ଲକ୍ଷ୍ମୀଙ୍କ ଆରାଧନା ପାଇଁ ସତେ ଯେମିତି ଚାତକ ଭଳି ଚାହିଁ ବସିଥାନ୍ତି କେନ୍ଦ୍ରାପଡ଼ାବାସୀ । ତେବେ ବିଗତ ଦୁଇ ବର୍ଷ କୋଭିଡ ମହାମାରୀ କାରଣରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏହାପରେ ଚଳିତ ବର୍ଷ କେନ୍ଦ୍ରାପଡ଼ା ସହରର ପୂଜା କମିଟି ଗୁଡ଼ିକୁ ଭକ୍ତଙ୍କ ଗହଣରେ ମା'ଙ୍କ ଆରାଧନା ପାଇଁ ସୁଯୋଗ ମିଳିଥିବାରୁ ଚାନ୍ଦି ବା ରୁପା ଓ ସୁନା ଅଳଙ୍କାର ନେଇ ସେମାନଙ୍କ ମଧ୍ୟରେ ସତେ ଯେପରି ଆରମ୍ଭ ହୋଇଛି ଏକ ପ୍ରତିଯୋଗୀତା । ସହରର ଖଡିଅଙ୍ଗ ପୂଜା କମିଟି ପ୍ରଥମ ଥର ପାଇଁ ୨୦୦୦ ମସିହାରେ ସ୍ବଳ୍ପ ପରିମାଣର ଚାନ୍ଦି ମା' ଲକ୍ଷ୍ମୀଙ୍କ ମୂର୍ତ୍ତିରେ ଲାଗି କରିଥିବା ବେଳେ ଆଜକୁ ଅନେକ ଚାନ୍ଦି ଗହଣା ସମେତ ସୁନା ଅଳଙ୍କାର ପ୍ରସ୍ତୁତ କରିଛି । ଏହି ଅଳଙ୍କାର ପାଇଁ ଖଡ଼ିଅଙ୍ଗ ଗ୍ରାମବାସୀ ଓ ସ୍ଥାନୀୟ ବ୍ୟବସାୟୀ ସହାୟତା ପ୍ରଦାନ କରିଥିବା କହିଛନ୍ତି ଖଡିଅଙ୍ଗ ପୂଜା କମିଟି ସଭାପତି ଭାବଗ୍ରାହୀ ସିଂହ ।

ସେହିଭଳି ସହରର ସାନ ମଙ୍ଗଳା ପୂଜା କମିଟି ଚଳିତବର୍ଷ ମା'ଙ୍କ ପାଇଁ ରୁପାରେ ଏକ 'ଓଁ' ଆକୃତି କରି ସେଥିରେ ମା'ଙ୍କ ମୂର୍ତ୍ତିକୁ ସ୍ଥାପିତ କରିଛନ୍ତି । ଯାହା ଭକ୍ତଙ୍କୁ ବେଶ ଆକୃଷ୍ଟ କରୁଛି । ଏହି 'ଓଁ' ଆକୃତି ପ୍ରସ୍ତୁତ କରିବା ପାଇଁ ପ୍ରାୟ ୯୦ କିଲୋ ରୁପା ଲାଗିଥିବା କହିଛନ୍ତି ଏହି କମିଟିର ସଭାପତି କୁନି ପାଣି । ତେବେ ସହରର ସବୁଠାରୁ ସୁଉଚ୍ଚ ବିଶିଷ୍ଟ ଚାନ୍ଦି ମେଢ଼ ହୋଇଥିବା କାକଟ ମଙ୍ଗଳା କ୍ଲବରେ ମୋଟ ୧ କ୍ବିଣ୍ଟାଲ ୫୦କିଲୋ ରୁପା ସାଙ୍ଗକୁ ସୁନାରେ ତିଆରି ମା'ଙ୍କ ହାର ଓ ମଥା ମଣି ଭକ୍ତଙ୍କୁ ଆକୃଷ୍ଟ କରୁଛି । ସହରର ଅନ୍ୟତମ ଗଙ୍ଗା ଭାଗିରଥି କ୍ଲବରେ ପୂଜା ପାଉଥିବା ଗଙ୍ଗା ମାତାଙ୍କ ମୁକୁଟ ଠାରୁ ଆରମ୍ଭ କରି ମେଢ଼ ପର୍ଯ୍ୟନ୍ତ ଚାନ୍ଦିରେ ପ୍ରସ୍ତୁତ ହୋଇଥିବା ବେଳେ ଏଠାରେ ଏକ କ୍ବିଣ୍ଟାଲ ୭୦ କିଲୋ ଚାନ୍ଦି ବ୍ୟବହାର ହୋଇଥିବା କହିଛନ୍ତି ପୂଜା କମିଟି ମୁଖ୍ୟ ସୁବାସ କୁମାର ଚାନ୍ଦ ।

ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ସେହିପରି କେନ୍ଦ୍ରାପଡ଼ା ସହରର ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ଦେବୀଙ୍କ ମୂର୍ତ୍ତିରେ ଲାଗି ହୋଇଥିବା ଏହି ସ୍ବର୍ଣ୍ଣ ଓ ଚାନ୍ଦି ଅଳଙ୍କାରର ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା କରାଯାଇଛି । ପୂଜା କମିଟି ଗୁଡିକ ମଧ୍ୟ ସିସିଟିଭି ଲଗାଇଛନ୍ତି । ଦିନକୁ ଦିନ ପୂଜାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ବଢୁଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ମଣ୍ଡପ ଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପୋଲିସ ପ୍ରଶାସନର ବ୍ୟାପକ ବ୍ୟବସ୍ଥା ପାଇଁ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ପୂଜା କମିଟି ଗୁଡ଼ିକର ସଭାପତି । ବିଗତ ଦୁଇବର୍ଷ ଧରି ବିନା ଭକ୍ତରେ ପୂଜା ପାଉଥିବା ମା'ଙ୍କୁ ଚଳିତବର୍ଷ ଦର୍ଶନ କରି ବିଭୋର ହେଉଛନ୍ତି ଭକ୍ତ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details