କେନ୍ଦ୍ରାପଡ଼ା: ବଙ୍ଗୀୟ ପରମ୍ପରା ଅନୁସାରେ ପୂଜା ପାଉଛନ୍ତି ମା' । ସଜନା ଶାଗ ଭଜା, ପଖାଳ, ବଡ଼ି ସାଙ୍ଗକୁ ଭୋଗ ଲାଗୁଛି ଦେଶୀ ମାଛ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଏଣ୍ଡର ଗ୍ରାମର ବଙ୍ଗାଳି ସାହିରେ ଦୁର୍ଗା ପୂଜା ଦୁଇ ବର୍ଷ କୋଭିଡ ମହାମାରୀ ଯୋଗୁଁ ବନ୍ଦ ଥିବାବେଳେ ଚଳିତ ବର୍ଷ ମା'ଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ସୁଅ ।
କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡର ଗ୍ରାମ ବଙ୍ଗାଳି ସାହିରେ କାହିଁ କେତେ କାଳରୁ ଦଶହରାରେ ପୂଜା ପାଇଥାନ୍ତି ମା' ଦୁର୍ଗତିନାଶିନୀ । ସମସ୍ତ ବଙ୍ଗୀୟ ପରମ୍ପରା ଅନୁସାରେ ଏଠାରେ ମା'ଙ୍କୁ ପୂଜା କରାଯାଏ । ତେବେ ଏଠାକାର ପରମ୍ପରା ଅନ୍ୟ ସ୍ଥାନ ଅପେକ୍ଷା ନିଆରା । ଏଠାରେ ଷଷ୍ଠୀ ଠାରୁ ମା'ଙ୍କୁ କୁମାରୀ ଭାବରେ ପୂଜାର୍ଚ୍ଚନା କରାଯାଏ । ସେହିଭଳି ସଜନା ଶାଗ ଭଜା, ପଖାଳ,ବଡ଼ି, ଦେଶୀ ମାଛ ଇତ୍ୟାଦି ମା'ଙ୍କୁ ଭୋଗ ଦିଆଯାଇଥାଏ । ତେବେ ଏଠାରେ ବିନା ପିଆଜ ରସୁଣରେ ଦେଶୀ ମାଛ ରୋଷେଇ ହୋଇ ଭୋଗଲାଗି ହେବା ପରମ୍ପରା ଏହି ପୂଜାକୁ ନିଆରା କରିଛି ।