କେନ୍ଦ୍ରପଡ଼ା:ପ୍ରେମ, ସ୍ନେହ ଭଲ ପାଇବା ଦ୍ୱାହି ତ ପ୍ରାୟ ପ୍ରତ୍ୟେକ ଦେଇ ଥାଆନ୍ତି । କିନ୍ତୁ ବାସ୍ତବ ଜୀବନରେ ଏହାକୁ ଅନୁକରଣ କରିବାକୁ ଅଧିକାଂଶ ଚାହାନ୍ତି ନାହିଁ । ଆଧୁନିକ ଯୁଗରେ ଏବେ ବି ପ୍ରେମ ଭଲପାଇବାକୁ ଏକ ଦୋଷ ରୂପେ ଦେଖି ଆସୁଛି ସମାଜ । ଆଉ ଯେବେ ଯୁବପୀଢ଼ି ମନ ଝରକା ଖୋଲି ଏହି ଦୋଷ କରିବସେ ସେତେବେଳେ ତାକୁ ସହିବାକୁ ପଡ଼େ ସମାଜର ତାଡ଼ନା । ଏହାର ଏକ ନିଚ୍ଛକ ଉଦାହରଣ ଏବେ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ । ଏଠାରେ ଝିଅ ପ୍ରେମ ବିବାହ କରିବାପରେ ଜିଇଁ ଥାଉ ଥାଉ ତାର ଶୁଦ୍ଧିକ୍ରିୟା କରିଦେଲେ ପରିବାର ଲୋକେ ।
ସାତଜନ୍ମର ସାଥି ହେବା ପାଇଁ ଜନ୍ମଦାତାଙ୍କ ସହ ସମ୍ପର୍କ ଛିନ୍ନ କଲା ଆଉ ଝିଅ । ଯାହାପରେ ଜିଅନ୍ତା ଅବସ୍ଥାରେ ଝିଅର ଶ୍ରାଦ୍ଧ କଲା ପରିବାର । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । କେନ୍ଦ୍ରାପଡ଼ା ଆଳି ସଦର ମହକୁମା ନୂଆବଜାରର ଝିଅ ଦୀପାଞ୍ଜଳି, ରାଜେନ୍ଦ୍ର ମଳିକଙ୍କୁ ଦୀର୍ଘ ବର୍ଷ ହେବ ପ୍ରେମ କରୁଥିଲେ । ଝିଅ ପରିବାର ଲୋକ ବିରୋଧ କରୁଥିବା ବେଳେ ଗତକାଲି(ବୁଧବାର) ମନ୍ଦିରରେ ପୁଅ ଘର ଲୋକ ଉଭୟଙ୍କ ବିବାହ କରିଥିଲେ । ଏହାକୁ ନେଇ ଝିଅଘର ଲୋକେ ବଜାର ମଧ୍ୟରେ ଏକ ପୋଷ୍ଟର ମାରି ଝିଅକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ବିଦ୍ଧି ଅନୁଯାୟୀ ଶୁଦ୍ଧି କ୍ରିୟା କରିଛନ୍ତି ।
ବର ପକ୍ଷ ଲୋକଙ୍କ କହିବା ଅନୁଯାୟୀ, "ଦୀର୍ଘ ବର୍ଷଧରି ପୁଅଝିଅ ଉଭୟ ଉଭୟଙ୍କୁ ପ୍ରେମ କରି ଆସୁଥିଲେ । ରାଜେନ୍ଦ୍ର ମଲିକଙ୍କ ଘରଠାରୁ କନ୍ୟା ଦୀପାଞ୍ଜଳିଙ୍କ ଘର ମାତ୍ର ୨୦୦ ମିଟର ଦୂର । ଦୁଇମାସ ତଳେ ଝିଅ ପୁଅ ଘରଛାଡି ପଳାୟନ କରିଥିଲେ । ପରେ ଘର ଲୋକ ଉଭୟଙ୍କୁ ଖୋଜାଖୋଜି କରି ଉଭୟଙ୍କୁ ଘରକୁ ଫୋରାଇ ଆଣିଥିଲେ । କିନ୍ତୁ 15 ଦିନ ତଳେ ଝିଅ ପୁନର୍ବାର ପୁଅ ଘରକୁ ପଳାୟନ କରିଥିଲା । ଯାହାପରେ ଝିଅ ଘର ଲୋକେ ଝିଅକୁ ଗ୍ରହଣ କରିବାକୁ ମନା କରିଥିଲେ । ତେଣୁ ଝିଅ ଓ ପୁଅର ସମସ୍ତ ରୀତିନୀତିରେ ବିବାହ କରାଯାଇଛି । ମାତ୍ର ଏହାକୁ ନେଇ ଝିଅ ଘର ଯାହା କଲେ ତାହା ଅନୁଚିତ । ଆଜି କାଲି ପ୍ରେମବିବାହ ଅତି ସାଧାରଣ କଥା । ଏହି ସମାନ୍ୟ କଥାକୁ ନେଇ ଝିଅର ଶୁଦ୍ଧିକ୍ରିୟା କରିବ ନିନ୍ଦନୀୟ ଘଟଣା।"