କେନ୍ଦ୍ରାପଡା: ମାଟିରେ ମିଶିଲା ହାର୍ଡକୋର ଅପରାଧି ସେକ ହାଇଦର ଅଲ୍ଲୀର ପାଥିବ ଶରୀର । ଗତକାଲି ଜନ୍ମମାଟି କେନ୍ଦ୍ରାପଡାରେ ପହଞ୍ଚିବା ପରେ ରଣପଡ଼ା କବରସ୍ଥାନରେ ସମାପ୍ତ ହୋଇଛି ଶେଷକୃତ୍ୟ । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଶନିବାର ଠାରୁ ସହର ସମେତ ସହର ସଂଲଗ୍ନ ଅନ୍ୟ ୪ଟି ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ରାତି ୯ଟାରେ ହାଇଦରର ମୃତଦେହ କେନ୍ଦ୍ରାପଡା ପହଞ୍ଚିବା ପରେ ତାର ବାସଭବନକୁ ମୃତଦେହ ନିଆନଯାଇ ସିଧାସଳଖ ରଣପଡ଼ା କବରସ୍ଥାନକୁ ନିଆଯାଇଥିଲା।
ପରିବାର ଲୋକଙ୍କୁ ଉକ୍ତ କବରସ୍ଥାନରେ ଶେଷ ଦର୍ଶନ ସୁଯୋଗ ଦିଆଯାଇଥିବା ବେଳେ ସେଠାରେ ହାଇଦର ପାଇଁ ଅନ୍ତିମ ନମାଜ ପାଠ କରାଯାଇ ଜନାଜା ବାହାର କରାଯାଇଥିଲା । ହାଇଦରର ଏନକାଉଣ୍ଟର ଓ ଗତକାଲି ଶେଷକୃତ୍ୟ ସମ୍ପନ୍ନ ପରେ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିରେ କୌଣସି ପ୍ରଭାବ ଦେଖିବାକୁ ମିଳିନଥିବା ବେଳେ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ସେହିପରି ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ୧୪୪ଧାରା ବଳବତ୍ତର ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇଜି।
ତେବେ୧୯୮୬ ମସିହାରେ ଅପରାଧ ଜଗତରେ ପାଦ ଦେଇଥିଲା ସେକ ହାଇଦର । ଅପରାଧ ଜଗତରେ ପାଦ ଦେବା ଆଗରୁ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ହାଇଦର ଯେ ଦିନେ ଏଭଳି ମୋଷ୍ଟ ୱାଣ୍ଟେଡ଼ କ୍ରିମିନାଲ ପାଲଟିଯିବ ତାହା ଥିଲା କଳ୍ପନା ବାହାରେ । ପ୍ରଥମେ ଚୋରି,ଡକାୟତି ଓ ମାଡପିଟରୁ ଅପରାଧ ଜଗତରେ ପାଦ ଥାପିଥିବା ଟେକର ଡ୍ରାଇଭର ହାଇଦର ଏକ ଘଟଣା କ୍ରମରେ କେନ୍ଦ୍ରାପଡ଼ା ସହରରେ ଟିଟୋ ଓ ସୋଲେମାନ ସହ ମିଶି ଅପରାଧ କରିବା ଜାରି ରଖିଥିଲା । ସମୟକ୍ରମେ ଟିଟୋ ଠାରୁ ଦୁରେଇ ଯାଇ ନିଜେ ଏକ ଗ୍ୟାଙ୍ଗ ଗଢିଥିଲା ।