କେନ୍ଦ୍ରାପଡା:ଗ୍ୟାଙ୍ଗଷ୍ଟାର ବିଭୁ ଓରଫ ପ୍ରତାପ ସାହୁକୁ ଅପହରଣ । ମୁଖା ପିନ୍ଧି ବନ୍ଧୁକ ମୁନରେ ବିଭୁକୁ ଉଠାଇ ନେଲେ ଦୁର୍ବୃତ୍ତ । ଘଟଣାକୁ 24 ଘଣ୍ଟା ପୁରିଥିଲେ ବି ଗ୍ୟାଙ୍ଗଷ୍ଟାର ବିଭୁର ପତ୍ତା ପାଉନି ପୋଲିସ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଗ୍ୟାଙ୍ଗଷ୍ଟାର ବିଭୁଙ୍କ ସ୍ତ୍ରୀ ସୌଦାମିନୀ ସାହୁ । ପୂର୍ବ ଶତ୍ରୁତାରୁ ତାଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ମାର୍ଶାଘାଇ ଥାନା ବେରୁହାଁର ଦୁର୍ଦ୍ଦାନ୍ତ ଅପରାଧି ବିଭୁକୁ ବୁଧବାର ସନ୍ଧ୍ୟାରେ ଗ୍ୟାଙ୍ଗ ଶତୃତାକୁ କେନ୍ଦ୍ରକରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ମାର୍ଶାଘାଇ ପୋଲିସ ନିକଟରେ ପତ୍ନୀ ସୌଦାମିନୀ ସାହୁ ଅଭିଯୋଗ କରିଛନ୍ତି । ଭଗବାନପୁର କ୍ୟାମ୍ପରେ ୩୦ରୁ ଊର୍ଦ୍ଧ୍ବ ମୁଖା ପିନ୍ଧା ଦୁର୍ବୃତ୍ତ ପ୍ରବେଶ କରି ବନ୍ଧୁକ ମୁନରେ ବିଭୁକୁ ଉଠାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅପହରଣରେ ଗୋଟିଏ ବୋଲେରୋ, ଗୋଟିଏ ଟ୍ୟାକ୍ସି ଏବଂ ୮ଟି ବାଇକ ବ୍ୟବହାର କରିଥିଲେ ଦୁର୍ବୃତ୍ତ ମାନେ ।
ପାରାଦ୍ୱୀପ-ଚଣ୍ଡିଖୋଲ ୫୩ନଂ ଜାତୀୟ ରାଜପଥରେ ବିଭୁକୁ ଅପହରଣ କରି ଚଣ୍ଡିଖୋଲ ଅଭିମୁଖେ ନେଇ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି । ଏକ ଅପରାଧିକ ଗ୍ୟାଙ୍ଗର ୩୦ରୁ ଊର୍ଦ୍ଧ୍ବ ଅପରାଧି ପ୍ରତିପକ୍ଷ ଗ୍ୟାଙ୍ଗର ବିଭୁକୁ ଅପହରଣ କରିଥିବା କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏ ଘଟଣାରେ କୌଣସି ସୁରାକ ପାଇନାହିଁ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଦକରଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡ଼ିପିଓ ଜୟନ୍ତ ମହାପାତ୍ର, ଏଏସ୍ପି ହରେଶ୍ ପାଣ୍ଡେ ଅପହରଣ ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ପୋଲିସ ଘଟଣା ସମ୍ପର୍କରେ ବିଭୁର ପତ୍ନୀ ସୌଦାମିନୀଙ୍କୁ ପଚାରି ବୁଝିଥିଲେ ।