ଓଡିଶା

odisha

ETV Bharat / state

ଗରିବ ପିଲାଙ୍କ ପାଇଁ ମାଗଣା ଶିକ୍ଷା, ୧୦୦ରୁ ଅଧିକ ପାଇଲେଣି ସରକାରୀ ଚାକିରି

ଗରିବ ପିଲାଙ୍କ ପାଇଁ ଆଶାର କିରଣ ସାଜିଛି କେନ୍ଦ୍ରପଡାର କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ମାଗଣାରେ ଦିଆଯାଉଛି ଶାରୀରିକ ଶିକ୍ଷା । ବିଭିନ୍ନ ସରକାରୀ ଚାକିରି ଆଶାୟୀ ଗରିବ ଛାତ୍ରଛାତ୍ରୀ ବିନା ମୂଲ୍ୟରେ ପାଠ ପଢୁଛନ୍ତି । ଏହି ମାଗଣା ଶିକ୍ଷା ପାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ଚାକିରି ମଧ୍ୟ ପାଇଛନ୍ତି । ଅଧିକ ପଢନ୍ତୁ

ଗରୀବ ପିଲାଙ୍କ ପାଇଁ ମାଗଣା ଶିକ୍ଷା, ୧୦୦ରୁ ଅଧିକ ପାଇଲେଣି ସରକାରୀ ଚାକିରି
ଗରୀବ ପିଲାଙ୍କ ପାଇଁ ମାଗଣା ଶିକ୍ଷା, ୧୦୦ରୁ ଅଧିକ ପାଇଲେଣି ସରକାରୀ ଚାକିରି

By

Published : Nov 15, 2022, 7:00 PM IST

କେନ୍ଦ୍ରାପଡା: ସରକାରୀ ଚାକିରିଟିଏ କରିବା କାହାର ବା ସ୍ବପ୍ନ ନୁହେଁ । ଏଥିପାଇଁ ଚାକିରି ଆଶାୟୀ ଛାତ୍ରଛାତ୍ରୀ ବିଭିନ୍ନ ନାମୀଦାମୀ କୋଚିଂ ସେଣ୍ଟରରେ ଲକ୍ଷ ଲକ୍ଷ ଟଙ୍କା ଉଡାଉଛନ୍ତି । ହେଲେ ପାଠ ପଢିବାର ଆଗ୍ରହ ଥିଲେ ମଧ୍ୟ ପାରିବାରିକ ଅଭାବ ଅନଟନ ଯୋଗୁଁ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଏହି ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ଦୁଃଖି ଦୁଃଖ ବୁଝିଲା ଭଳି ଗରିବ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆଶାର କିରଣ ସାଜିଛି କେନ୍ଦ୍ରାପଡାର 'କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର' । ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶାରୀରିକ ତାଲିମ ଓ ଶିକ୍ଷାଦାନ ଦିଆଯାଉଛି । ସାମରିକ, ଅର୍ଦ୍ଧସାମରିକ, ପୋଲିସ, ଫରେଷ୍ଟ ଗାର୍ଡ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ପଦପଦବୀ ପାଇଁ ପ୍ରଶିକ୍ଷଣଧାରୀଙ୍କ ଦ୍ବାରା ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଛି ।

ଗରୀବ ପିଲାଙ୍କ ପାଇଁ ମାଗଣା ଶିକ୍ଷା, ୧୦୦ରୁ ଅଧିକ ପାଇଲେଣି ସରକାରୀ ଚାକିରି

କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ ଅଞ୍ଚଳରେ ରହିଛି 'କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର' । ନାମଚାର୍ଯ୍ୟ ସାଧୁ ବାୟାବାବାଙ୍କ ନାମରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ୨୦୧୩ରେ ଜିଲ୍ଲା ପୋଲିସରେ ନିଯୁକ୍ତି ପାଇଥିବା ଜଣେ ଯୁବକ ଏବଂ ଆଉ କେତେଜଣ ସହଯୋଗୀଙ୍କ ଉଦ୍ୟମରେ ଏହି ଅନୁଷ୍ଠାନଟି ଆରମ୍ଭ ହୋଇଥିଲା । କଳ୍ପତରୁ କେନ୍ଦ୍ରରେ ଆଖପାଖର ତିନିରୁ ଚାରି ଗୋଟି ପଞ୍ଚାୟତର ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବା ବେଳେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ଚାକିରି କରିସାରିଲେଣି । ବଡ କଥା ହେଉଛି, ଏଠାରେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ କୌଣସି ନାମଲେଖା ଦେୟ କିମ୍ବା ମାସିକ ଦେୟ ଦେବାକୁ ପଡେନାହିଁ । ଏପରିକି ପ୍ରଶିକ୍ଷଣ କେନ୍ଦ୍ରରେ କୌଣସି ଆଗଧାଡିର ଓ ମୋଟା ଅଙ୍କର ବେତନପ୍ରାପ୍ତ ଶିକ୍ଷକ ଏବଂ ଶାରୀରିକ ପ୍ରଶିକ୍ଷକଙ୍କ ମଧ୍ୟ ନିଯୁକ୍ତି ହୋଇ ନାହାନ୍ତି ।

ଏହି ଅନୁଷ୍ଠାନରୁ ପ୍ରଶିକ୍ଷଣ ନେଇ ଚାକିରି କରିଥିବା ପୁରାତନ ଛାତ୍ରଛାତ୍ରୀ ଛୁଟିରେ ଘରକୁ ଆସିଲେ ଏଠାକୁ ଆସି ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି । ସେହିପରି ଯେଉଁମାନେ ଅଳ୍ପଦୂରରେ ଚାକିରି ପାଇଛନ୍ତି ସେମାନେ ଡ୍ୟୁଟି ପରେ ସମୟ ବାହାର କରି ପ୍ରଶିକ୍ଷଣ କେନ୍ଦ୍ରରେ ଶିକ୍ଷାଦାନ କରୁଥିବାର ଛାତ୍ରଛାତ୍ରୀ କହିଛନ୍ତି । ସେମାନେ କେବଳ ଶିକ୍ଷାଦାନ କରନ୍ତି ନାହିଁ ବରଂ ପ୍ରଶିକ୍ଷଣ କେନ୍ଦ୍ର କିପରି ଠିକ୍ ଭାବରେ ଚାଲିବ ଓ ଶିକ୍ଷାରତ ଛାତ୍ରଛାତ୍ରୀ କୌଣସି ଅସୁବିଧାରେ ନ ପଡିବେ ସେଥିପାଇଁ ଆର୍ଥିକ ସହଯୋଗ ମଧ୍ୟ କରିଥାନ୍ତି ।

ପ୍ରଶିକ୍ଷଣ କେନ୍ଦ୍ରର ପୃଷ୍ଠପୋଷକ ତଥା ତାଲିମଦାତା ଦିବ୍ୟରଞ୍ଜନ ଦାସ କହିଛନ୍ତି, '' ଯେପରି ଗରିବ ପିଲାଟିଏ ପଇସା ଅଭାବରୁ ପାଠପଢା ନଛାଡେ ତାହା ହିଁ କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଦେଶ୍ୟ । ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୮ଟି ଜିଲ୍ଲାରେ ଏବେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଅନଲାଇନ ତାଲିମ ମଧ୍ୟ ଦିଆଯାଉଛି । ସମସ୍ତ ଜିଲ୍ଲାରେ ଏହି ଅନଲାଇନ ପାଠପଢା ପହଞ୍ଚାଇବା ପାଇଁ ପ୍ରୟାସ ଚାଲିଛି ।'' ଏଥିପାଇଁ ମହାକାଳପଡା ବ୍ଲକର ଅଳାଇଲୋ, ରାଜଗଡ଼ ପଞ୍ଚାୟତ ଓ ମାର୍ଶାଘାଈ ବ୍ଲକର କୁହୁଡି, ଅଙ୍ଗୁଳାଇ ପଞ୍ଚାୟତରେ ଏହି ପ୍ରଶିକ୍ଷଣ କେନ୍ଦ୍ରଟି ସୁନାମଧନ୍ୟ ଅନୁଷ୍ଠାନ ଭାବେ ଗଢ଼ି ଉଠିଛି ।

କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରରେ ପାଠପଢା ଓ ଶାରିରୀକ ଶିକ୍ଷା ସହ ଅନେକ ସାମାଜିକ କାର୍ଯ୍ୟ କରାଯାଏ । ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ସୁନ୍ଦର ବଗିଚା ତିଆରି କରିବା, ବିଭିନ୍ନ ଗଛର ଚାରା ପ୍ରସ୍ତୁତ କରି ମାଗଣାରେ ଚାରା ବଣ୍ଟନ କରିବା ଆଦି କାର୍ଯ୍ୟ ମଧ୍ୟ କରିଥାନ୍ତି । ମହାମାରୀ ସମୟରେ ଏହି କେନ୍ଦ୍ର ପକ୍ଷରୁ ଏକ ମାସ ଧରି ୪ଟି ପଞ୍ଚାୟତର ଭିକାରୀ, ବିକୃତ ମସ୍ତିସ୍କ ଏବଂ ନିସହାୟ ଲୋକ ମାନଙ୍କୁ ମଧ୍ୟାହ୍ନ ଭୋଜନ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଥିଲା । ବିଭିନ୍ନ ସମୟରେ ଏହି ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରମାନେ ରକ୍ତଦାନ କରୁଥିବାର ଦେଖିବାକୁ ମିଳେ ।

କେନ୍ଦ୍ରାପଡାର ଏହି ମଣିଷ ତିଆରି କାରଖାନାରେ କେହି କୃତୀତ୍ବ ହାସଲ କଲେ ବା ଚାକିରି ପାଇଲେ ଗାଁରେ ନାମ ସଂକୀର୍ତ୍ତନ କରିବାର ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ନାମ ସଂକୀର୍ତ୍ତନ କରି ନାମାଚାର୍ଯ୍ୟ ବାୟାବାବାଙ୍କୁ ଚାକିରୀ ପାଇଥିବା ଯୁବକ/ଯୁବତୀଙ୍କ ଘରକୁ ନେଇଥାନ୍ତି ଓ ସେଠାରୁ ନଗର ପରିକ୍ରମା ପରେ ସନ୍ଧ୍ୟା ଆଳତୀ ସମୟରେ ପ୍ରଶିକ୍ଷଣ କେନ୍ଦ୍ର ସନ୍ନିକଟ ବିଦ୍ୟାଳୟ ମଧ୍ୟରେ ଥିବା ବାୟାବାବାଙ୍କ ମନ୍ଦିରକୁ ଆସି ସେଠାରେ ପ୍ରସାଦ ସେବନ କରିଥାନ୍ତି । ତେବେ ଗରିବ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କାମ କରୁଥିବା ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଜ୍ୟ ପାଇଁ ସମାଜ ପାଇଁ ଉଦାହରଣ ନିଶ୍ଚୟ ।

ଇଟିଭି ଭାରତ, କେନ୍ଦ୍ରାପଡା

For All Latest Updates

ABOUT THE AUTHOR

...view details