କେନ୍ଦ୍ରାପଡା: ଲଘୁଚାପ ଜନିତ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ସଙ୍ଗୀନ ହେଉଛି ବନ୍ୟା ପରିସ୍ଥିତି । ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କାଣୀ, ଖରସ୍ରୋତାରେ ବନ୍ୟାପାଣି କାରଣରୁ ଆଖପାଖ ଅଞ୍ଚଳ ଜଳମଗ୍ନ । ରାସ୍ତାଘାଟ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଧାନକ୍ଷେତରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲାର । ପଟ୍ଟାମୁଣ୍ଡାଇ ବ୍ଲକରେ 12ଟି ପଞ୍ଚାୟତର 60ରୁ ଉର୍ଦ୍ଧ୍ବ ଗାଁ ବନ୍ୟାରେ ପ୍ରଭାବିତ । ଏପରିକି 7ଟି ପଞ୍ଚାୟତ ସମ୍ପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ । ସିଂହ ଗାଁ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ଅଣ୍ଡରା, ଦାଣ୍ଡିସାହି ଜଳବନ୍ଦୀ ହୋଇରହିଛି ।
ବ୍ରାହ୍ମଣୀରେ ଜଳ ସ୍ତର ବୃଦ୍ଧି କାରଣରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପାଣି ଘେରରେ। ବିଭିନ୍ନ ଗାଁ ଦାଣ୍ଡରେ ବନ୍ୟା ପାଣି ଲହଡି ମାରୁଛି ତ କେଉଁଠି ଘର ଭିତରେ ପାଣି। ପାଣି ବଢିବା ସହ ଦାଣ୍ଡିସାହି କଲେଜ ରୋଡରେ ତିନି ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରଭାହିତ ହେଉଛି। ପାଇକା,ଲୁଣା, କରାଣ୍ଡିଆରେ ଜଳସ୍ତର କେଉଁଠି ବିପଦ ସଙ୍କେତ ଉପରେ ତ ଆଉ କେଉଁଠି ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି ।