ଓଡିଶା

odisha

ETV Bharat / state

ବାସହରା କଲା ବୀରୂପା, ବନ୍ୟାର ମାସେ ପରେ ବି ଖୋଲା ଆକାଶ ତଳେ ଜୀବନ - ବନ୍ୟା ବିପନ୍ନଙ୍କୁ ମିଳୁନି ସହାୟତା

ବନ୍ୟା ଆସି ଚାଲିଗଲା, ହେଲେ ଦେଇଗଲା ଅସରନ୍ତି ଦୁଃଖ ଆଉ ଯନ୍ତ୍ରଣା । ବିରୂପା ନଦୀର ଉଛୁଳା ପାଣିରେ ସବୁ ଧୋଇହୋଇଯାଇଛି । ମୁଣ୍ଡ ଗୁଞ୍ଜିବାକୁ ଚାଳ ନଥିବାରୁ କିଏ କ୍ଲବ ଘରେ ତ ପୁଣି କିଏ ଖୋଲା ଆକାଶ ତଳେ ତମ୍ବୁ ଟାଣି ବଞ୍ଚିଛି । ବିତ୍ପାତର ମାସେରୁ ଅଧିକ ସମୟ ପରେ ବି ବିପନ୍ନଙ୍କ ଦୁଃଖ ଲାଘବ ଭଳି ସେତେଟା ସହାୟତା ମିଳିନି । ଅଧିକ ପଢନ୍ତୁ...

ବାସହରା କଲା ବୀରୂପା , ବନ୍ୟାର ମାସେ ପରେ ବି ଖୋଲା ଆକାଶ ତଳେ ଜୀବନ
ବାସହରା କଲା ବୀରୂପା , ବନ୍ୟାର ମାସେ ପରେ ବି ଖୋଲା ଆକାଶ ତଳେ ଜୀବନ

By

Published : Oct 7, 2020, 5:53 PM IST

କେନ୍ଦ୍ରାପଡା: ଛାଡିଯାଇଛି ବନ୍ୟା ଜଳ, କମିଛି ନଦୀର ଜଳସ୍ତର କିନ୍ତୁ କମିନାହିଁ ବନ୍ୟାର କରାଳ ରୂପରୁ ବାସ ହରାଇଥିବା ଲୋକର ଦୁରାବସ୍ଥା । ବାସହରା ହୋଇ ଗାଁର କ୍ଲବ ଘରେ କିଏ ବଢ଼ିଲା ଝିଅକୁ ନେଇ ଆଶ୍ରୟ ନେଇଛନ୍ତି ତ ଆଉ କିଏ ଭଙ୍ଗା ଘରକୁ ସଜାଡିବାରେ ଲାଗିଛି । କିନ୍ତୁ ଏପର୍ଯ୍ୟନ୍ତ ମିଳିପାରିନାହିଁ ବନ୍ୟା କ୍ଷୟକ୍ଷତି ଜନିତ ଅର୍ଥରାଶି ।

ବାସହରା କଲା ବୀରୂପା, ବନ୍ୟାର ମାସେ ପରେ ବି ଖୋଲା ଆକାଶ ତଳେ ଜୀବନ

ଗତ ଅଗଷ୍ଟ ୨୮ରେ ବିରୂପା ନଦୀବନ୍ଧ ଭାଙ୍ଗି କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ବେଣୀପୁର ଗାଁର ୩୦ରୁ ଊର୍ଦ୍ଧ୍ବ କଚ୍ଚା ଘର ଭାଙ୍ଗିଥିବା ବେଳେ ୨୦ ପରିବାର ବାସହରା ହୋଇଥିଲେ । ତେବେ ଏହି ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଅକ୍ଷୟ ମହାରଣାଙ୍କ ପରିବାର ବାସହରା ହୋଇ ସ୍ଥାନୀୟ କ୍ଲବ ଘରେ ଆଶ୍ରୟ ନେଇଥିବା ବେଳେ ସାଙ୍ଗରେ ରହୁଛି ଜଣେ ବଢ଼ିଲା ଝିଅ । ଅକ୍ଷୟ ପକ୍ଷାଘାତରେ ପୀଡିତ ଥିବା ବେଳେ ଘର କହିଲେ ତାଙ୍କର ୪ବଖରା ମାଟିଘର ଓ ଦୁଇ ବଖରାର ଗୁହାଳ । କିନ୍ତୁ ବନ୍ୟା ମାଡ଼ିଆସିବା ଫଳରେ କେବଳ ନିଜ ଜୀବନ ବଞ୍ଚାଇ ଉଚ୍ଚ ସ୍ଥାନକୁ ଏମାନେ ଚାଲି ଯାଇଥିବା ବେଳେ ସୁତାଟିଏ ମଧ୍ୟ ଉଦ୍ଧାର କରିପାରିନଥିଲେ।

ସେହିପରି ବନମାଳୀ ମହାରଣା, ଗୌତମ ମହାରଣାଙ୍କ ପରିବାରର ସମାନ ଅବସ୍ଥା। ଅକ୍ଷୟଙ୍କ ପରିବାର ସହିତ ଗୋଟିଏ କ୍ଲବ ଘରେ ଗୌତମ ଓ ବନମାଳୀଙ୍କ ପରିବାର ରହୁଥିବା ବେଳେ ଏମାନଙ୍କ ଅବସ୍ଥା ମଧ୍ୟ ସମାନ। ବନ୍ୟା ବିତ୍ପାତର ଏକମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ପରିବାରଙ୍କୁ ୫୦ କିଲୋ ଚାଉଳ, ୫୦୦ଟଙ୍କା ବ୍ୟତୀତ ରାଜ୍ୟ ସରକାର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଘୋଷଣା କରିଥିବା ପିନ୍ଧାବସ୍ତ୍ର ପାଇଁ ସହାୟତା ବାସନକୁସନ ବାବଦକୁ ସାହାଯ୍ୟ କିଛି ମିଳିନି । କେବଳ ଏହି ପରିବାର ନୁହେଁ, ଗ୍ରାମର ନବୀନ ମହାରଣା, ମଧୁସୂଦନ ମହାରଣା, ମନୋରମା ସାହୁ, ଡମ୍ବରୁଧର ଭଞ୍ଜଙ୍କ ଭଳି ୨୦ଟି ପରିବାର ଏବେ ବାସହରା ହୋଇ ଏଣେତେଣେ ମୁଣ୍ଡ ଗୁଞ୍ଜିଛନ୍ତି । ଆଉ ବର୍ଷା ହେଲେ ଭଗବାନ ଭରସାରେ ଜୀବନ କଟୁଛି ।

ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ରାଜନେତା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀ ଟିମ ଏବଂ ଜିଲ୍ଳାପାଳ ସମେତ ବହୁ ବ୍ୟକ୍ତିବିଶେଷ ବେଣୀପୁର ଗାଁକୁ ଆସି ଲୋକଙ୍କ ଅସୁବିଧା ଓ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ହେଲେ ମଧ୍ୟ ଏମାନଙ୍କ ସ୍ଥିତି ସୁଧୁରିବା ନାଁ ଧରୁନି । ଅନ୍ୟପକ୍ଷରେ ଗତ ୨୮ରେ ଜିଲ୍ଲାର ୱେବସାଇଟରେ ବେଣୀପୁର ବନ୍ୟା କ୍ଷତିଗ୍ରସ୍ତଙ୍କ ସମ୍ପର୍କରେ ଉଲ୍ଲେଖ ରହିଥିବା ତଥ୍ୟରେ ଥିଲାବାଲାଙ୍କ ପାଇଁ ଅଧିକ ସହାୟତା ରାଶି ଦର୍ଶାଯାଇଥିବା ବେଳେ ବାସହରା ପରିବାର ଗୁଡିକୁ ଆଂଶିକ କ୍ଷତିଗ୍ରସ୍ତ ଦର୍ଶାଯାଇଛି ।ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏହି ତଦନ୍ତ ସମ୍ପୂର୍ଣ୍ଣ ଭୁଲ ଓ ଆଉଥରେ ଏହାର ତଦନ୍ତ କରାଯାଇ ପ୍ରକୃତ କ୍ଷତିଗ୍ରସ୍ତ ଚିହ୍ନଟ କରାଯାଇ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି ।

ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ତହସିଲଦାର ପ୍ରିୟପ୍ରୀତି ଭାବ ପୋଷଣ କରି ଏଭଳି ଭୁଲ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଭାବିତ ଲୋକ । ଏନେଇ ସ୍ଥାନୀୟ ଲୋକ ପ୍ରତିନିଧି ତଥା ପାଟକୁରା ବିଧାୟିକାଙ୍କ ପ୍ରତିନିଧିଙ୍କୁ ପଚାରାଯିବାରୁ ସେ ଏ ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରିଛନ୍ତି ଓ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । ଏହି ରିପୋର୍ଟରେ ସ୍ବାମୀଙ୍କ ଘରକୁ ଆଂଶିକ କ୍ଷତିଗ୍ରସ୍ତ ଦର୍ଶାଯାଇଥିବା ବେଳେ ସ୍ତ୍ରୀର ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଦର୍ଶାଯାଇଛି ଯାହାକୁ ନେଇ ପ୍ରଶାସନିକ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଏହାର ଶୀଘ୍ର ଯାଞ୍ଚ କରି ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇବା ବର୍ତ୍ତମାନର କୋରୋନା ସଙ୍କଟ ମଧ୍ୟରେ ଜରୁରୀ ହୋଇପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details