କେନ୍ଦ୍ରାପଡା:ନିଷିଦ୍ଧାଞ୍ଚଳରେ ରକ୍ଷକ ସାଜିଲା ଭକ୍ଷକ । ଯିଏ ଗହୀରମଥା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଜଗୁଛି ସିଏ ପୁଣି ବେଆଇନ ମାଛ ମାରୁଥିବା ଟ୍ରଲରକୁ ବିଦା କରି ଦେଉଛନ୍ତି । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଟ୍ରଲର ମାଲିକମାନଙ୍କ ସହ ବନ ବିଭାଗର ମୂଲଚାଲ ଚାଲିଥିବା ନେଇ ଅଭିଯୋଗ ହୋଇଛି । ତେବେ ବେଆଇନ ଭାବେ ଏକାଧିକ ଟ୍ରଲର ମାଛ ମାରୁଥିବା ବେଳେ ଗତକାଲି(ସୋମବାର) ବନ ବିଭାଗ ଦୁଇଟି ଟ୍ରଲର ଧରିବାକୁ ସକ୍ଷମ ହୋଇଥିଲା । ହେଲେ ମୂଲଚାଲ କରି ଗୋଟିଏ ଟ୍ରଲରକୁ ଛାଡି ଦେଇଥିବା ବନ ବିଭାଗ ବିରୋଧରେ ମତ୍ସ୍ୟଜୀବୀ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଅଗରନାଶି ନିକଟରେ ସମୁଦ୍ରକୂଳ ଠାରୁ ୫ କିଲୋମିଟର ମଧ୍ୟରେ ବେଆଇନ ଭାବେ ଏକାଧିକ ଟ୍ରଲର ମାଛ ମାରୁଥିଲେ । ଏନେଇ ବନ ବିଭାଗ ଦୁଇଟି ଟ୍ରଲର ଧରିବାକୁ ସକ୍ଷମ ହୋଇଥିଲା । ସି କିଙ୍ଗ ଟ୍ରଲର ସହିତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଏକ ଟ୍ରଲରକୁ ବନ ବିଭାଗ ଛାଡି ଦେଇଥିବା ନେଇ ଗିରଫ ହୋଇଥିବା ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ମତ୍ସ୍ୟଜୀବୀଙ୍କୁ ସାତମାସ ସମୁଦ୍ର ମନା, ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ପ୍ରସ୍ତୁତ ଗହୀରମଥା