କେନ୍ଦ୍ରାପଡା: ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁଚାହୁଁ ଜଳିଗଲା ୧୦ରୁ ଊର୍ଦ୍ଧ୍ବ ବଖରା ଚାଳ ଛପର ଘର ଏବଂ ବାସହରା ହେଲେ ୬ ପରିବାର । ଗତକାଲି(ଗୁରୁବାର) ରାତିରେ ନିଆଁ ଲାଗି ଘର ପୋଡି ପାଉଁଶ ହୋଇଯିବା ସହ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିବା ସୂଚନା ରହିଛି ।
ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମ(ସଂଖ୍ୟାଲଘୁ ବସ୍ତି)ରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି । ଏହି ଭୟାନକ ଅଗ୍ନିକାଣ୍ଡରେ 10 ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।
ତେବେ ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ସ୍ଥାନୀୟ ଲୋକଙ୍କ ଆୟତ୍ତର ବାହାରେ ରହିଥିଲା । ଗୋଟିଏ ପରେ ଗୋଟିଏ ଘରକୁ ମାଡିଯାଇଥିଲା ନିଆଁ । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଏହାପରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇ ଆଳି ଦମକଳ ବାହିନୀ ଓ ପଟ୍ଟାମୁଣ୍ଡାଇ ଦମକଳ ବାହିନୀର ମିଳିତ ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା । ବେସ କିଛି ସମୟର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।