କେନ୍ଦ୍ରାପଡା: ଜିଲ୍ଲା ରାଜକନିକା ବ୍ଲକ ବାଙ୍ଗରକୁଆଁ ଗାଁରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୨ ବଖରା ଚାଳ ଛପର ଘର ସହିତ ଗୁହାଳ । ଇଲେକ୍ଟ୍ରିକ୍ସ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ସୂଚନା ରହିଛି । ବରାଡିଆ ପଞ୍ଚାୟତର ବାଙ୍ଗରକୁଆଁ ଗାଁରେ ଶୁକ୍ରବାର ସନ୍ଧ୍ୟାରେ ରମାକାନ୍ତ ମାଝୀଙ୍କର 2 ବଖରା ଚାଳ ଛପର ଘର ସହିତ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି । ଇଲେକ୍ଟ୍ରିକ୍ ସଟ୍ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ରାଜକନିକା ଅଗ୍ନିଶମ ବିଭାଗ ଓ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Himachal Assembly polls: ଆଜି ହିମାଚଳ ବିଧାନସଭା ନିର୍ବାଚନ
ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲେ ସୁଦ୍ଧା ଘରେ ଥିବା ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ରମାକାନ୍ତ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ରହିବେ କେଉଁଠି ସେନେଇ ଚିନ୍ତାରେ । ତେବେ ରମାକାନ୍ତଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଜିଲ୍ଲାରେ ବିଦ୍ୟୁତ ସର୍ଟସର୍କିଟ ଜନିତ ଅଗ୍ନିକାଣ୍ଡ ବାରମ୍ବାର ଘଟୁଥିବା ବେଳେ ଏନେଇ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।