ଓଡିଶା

odisha

ETV Bharat / state

ଅସ୍ତ୍ରୋପଚାରରେ ଅର୍ଥ ବାଧକ: ଦୁଇଟି କିଡନୀ ହରାଇ ଯନ୍ତ୍ରଣାରେ ରତ୍ନାକର - help

ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ରତ୍ନାକର ସାହୁ ଏହି ରୋଗରେ ପୀଡିତ । କିଡନୀ ପ୍ରତିରୋପଣ ଲାଗି ନିଜ ମା' ଗୋଟିଏ କିଡନୀ ଦେବା ପାଇଁ ରାଜି ହୋଇଛନ୍ତି । ଗୋଟିଏ ପଟେ ଆଉ ଏକ କିଡନୀ ଯୋଗାଡ ଦୁରୂହ ବ୍ୟାପାର ସାଜିଥିବା ବେଳେ ଅନ୍ୟପଟେ ଚିକିତ୍ସା ପାଇଁ ବାଧକ ସାଜିଛି ଟଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jun 5, 2019, 5:57 PM IST

କେନ୍ଦ୍ରାପଡା: ରତ୍ନାକର ସାହୁ, ବୟସ ମାତ୍ର ୩୨ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଲକ୍ଷ୍ମୀ ନାରାୟଣପୁର ଗାଁରେ ଘର । ମାତ୍ର 32ବର୍ଷ ବୟସରେ ସେ ହରାଇଛନ୍ତି ନିଜର ଦୁଇଟି ଯାକ କିଡନୀ । ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ରତ୍ନାକର ଏହି ରୋଗରେ ପୀଡିତ । କିଡନୀ ପ୍ରତିରୋପଣ ଲାଗି ନିଜ ମା' ଗୋଟିଏ କିଡନୀ ଦେବା ପାଇଁ ରାଜି ହୋଇଛନ୍ତି । ଗୋଟିଏ ପଟେ ଆଉ ଏକ କିଡନୀ ଯୋଗାଡ ଦୁରୂହ ବ୍ୟାପାର ସାଜିଥିବା ବେଳେ ଅନ୍ୟପଟେ ଚିକିତ୍ସା ପାଇଁ ବାଧକ ସାଜିଛି ଟଙ୍କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ରତ୍ନାକର ନିଜ ରୋଗର ଚିକିତ୍ସା ପାଇଁ କଟକ ଭୁବନେଶ୍ବରର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲର ଚକ୍କର ବି କାଟି ସାରିଲେଣି । ତାଙ୍କର ଦୁଇଟି ଯାକ କିଡନୀ ପ୍ରତ୍ୟାରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଏଥିପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଡାକ୍ତର । ରତ୍ନାକରଙ୍କୁ ତାଙ୍କ ମା ସଂଯୁକ୍ତା ନିଜର ଗୋଟିଏ କିଡନୀ ଦାନ କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଅନ୍ୟ ଏକ କିଡନୀ ସଂଗ୍ରହ କରିବା ଏବେ କାଠିକର ପାଠ ବୋଲି କହିଛନ୍ତି ପରିବାର ଲୋକେ । ତେବେ ସରକାରୀ ଅଥବା କୌଣସି ବେସରକାରୀ ଅନୁଷ୍ଠାନ କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିଲେ ଏହି ରୋଗର ଚିକିତ୍ସା ହୋଇ ପାରିବ ବୋଲି ରତ୍ନାକରଙ୍କ ମା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ସରକାରୀସ୍ତରରେ ରତ୍ନାକରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।


ଏଠାରେ ସୂଚନା ଯୋଗ୍ୟ ଯେ ବିବାହିତ ରତ୍ନାକର ଗାଁ ଛକରେ ଛୋଟିଆ ପାନ ଦୋକାନଟିଏ କରି ପରିବାର ପ୍ରତିପୋଷଣ କରୁଛନ୍ତି । ମାତ୍ର ଏହାପରେ ମାଡି ଆସିଥିଲା ଅଦିନିଆ ଦୁଃଖ । ହଠାତ୍ ହାତଗୋଡ଼ ଫୁଲିବା ପେଟ ଦରଜ ହେବା ଏବଂ ପରିସ୍ରା କମ୍ ହେବାରୁ ଡାକ୍ତରଙ୍କୁ ଦେଖାଇଥିଲେ ରତ୍ନାକର । ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାରୁ ଜଣା ପଡିଲା ରତ୍ନାକରଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଏବେ ମାସିକ ଔଷଧ ବାବଦକୁ ୭ ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଅନ୍ୟପକ୍ଷରେ ଅସୁସ୍ଥତା ହେତୁ ଦୋକାନ ପ୍ରାୟ ସମୟ ବନ୍ଦ ରଖୁଛନ୍ତି ସେ । ବାପା କାର୍ତ୍ତିକେଶ୍ବର ଜଣେ ଚାଷୀ ହୋଇଥିବାରୁ ଆର୍ଥିକ ସ୍ବଚ୍ଛଳତା ରତ୍ନାକରଙ୍କ ଚିକିତ୍ସାରେ ବାଧକ ସାଜିଛି ।


ରତ୍ନାକରଙ୍କ କିଡନୀ ପ୍ରତ୍ୟାରୋପଣରେ ବିଳମ୍ବ ହେଲେ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବା ଡାକ୍ତର ସ୍ପଷ୍ଟ କରିଦେଇଛନ୍ତି । ଏବେ ଅନ୍ୟ ସହାୟତା ହିଁ ରତ୍ନାକରଙ୍କ ଜୀବନ ବଞ୍ଚାଇବାର ଏକମାତ୍ର ଉପାୟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details