କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇର ବିଭିନ୍ନ କେନାଲରେ ଦଳ ସଫା ନହେବା କାରଣରୁ ଜମିରେ ପାଣି ଲହଡି ମାରୁଛି (waterlogging on farm)। ପାଣି ନିଷ୍କାସନ ନହୋଇ ପାରିବାରୁ ଚାଷୀକୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ମୂଳବସନ୍ତ ଛକ ନିକଟରେ ଶତାଧିକ ଚାଷୀ ରାସ୍ତାରୋକ (farmers road blocked in kendrapara ) କରିଥିଲେ ।
ରାସ୍ତା ଅବରୋଧ କାରଣରୁ ଶହଶହ ଗାଡି ରାସ୍ତାର ଉଭୟ ପାର୍ଶ୍ଵରେ ଛିଡା ହୋଇ ରହିଥିଲା । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତ୍ରୀମାନେ ଛୋଟ ଛୋଟ ପିଲାଙ୍କୁ ଧରି ଜିନିଷପତ୍ର ବୋହି ରାସ୍ତା ପାରି ହେଉଥିବା ଦେଖିବାକୁ ମିଳିଛି । ଜଳ ସମ୍ପଦ ବିଭାଗର ଅବହେଳା ଯୋଗୁଁ ଚାଷୀ ନିଜର ବର୍ଷକର ଜୀବିକା ହରାଇବାକୁ ବସିଥିବା ଅଭିଯୋଗ ହୋଇଛି । ଜମିରୁ ବନ୍ୟାପାଣି ନିଷ୍କାସନ ନହୋଇ ପାରିବାରୁ ଚାଷୀ ଚାଷ କାମ କରିବା ତ ଦୂରର କଥା ଚାଷ ଜମିକୁ ସଜାଡି ପାରୁନାହିଁ । ଫଳରେ କିପରି ଚାଷ କରି ପରିବାର ଚଳେଇବ ସେନେଇ ଚିନ୍ତାରେ ଚାଷୀ କୂଳ ।
ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପଟ୍ଟାମୁଣ୍ଡାଇ ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ଯାଇ ଚାଷୀଙ୍କୁ ବୁଝାସୁଝା କରିଛନ୍ତି । କେଉଁ କେଉଁ ସ୍ଥାନରେ ବନ୍ୟା ପାଣି ଜମି ଚାଷ ଜମିକୁ ରାସ୍ତା ଅବରୋଧ ହୋଇଛି ସେନେଇ ପଚାରି ବୁଝିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ କେନାଲ ସଫା କରିବାକୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।