କେନ୍ଦ୍ରାପଡା:ଚାଷ ଜମିକୁ ଆସିଲା ନାହିଁ ପାଣି, ବାରମ୍ବାର ଆପତ୍ତି ଅଭିଯୋଗ ପରେ କେହି ନଶୁଣିବାରୁ ଶେଷରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଚାଷୀ । ଫଳରେ ରାସ୍ତାରେ ଯାନବାହନ ଅଟକି ରହିବାରୁ ଚାଲି ଚାଲି ଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଗଣ୍ଡାକିଆ ରାସ୍ତାରେ । ଜମିକୁ ପାଣି ନଆସିବାରୁ ସ୍ଥାନୀୟ ଆୟବା ଓ ପୁରୁଷୋତ୍ତମପୁରର ଶତାଧିକ ଚାଷୀ ଆଜି ରାସ୍ତା ଅବରୋଧ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା କେନାଲର ବିଭିନ୍ନ ଲକ ନିକଟରେ ମାଛ ଧରିବା ପାଇଁ ଲକରେ ଥିବା ସଟର ବନ୍ଦ କରିଥିବାରୁ ପାଣି ନଆସି ଚାଷ ଜମି ଫାଟି ଆଁ କରିଛି । ଏହି ଲକ ଗୁଡିକର ସଟର ଖୋଲିବା ପାଇଁ ଚାଷୀ ଚେଷ୍ଟା କରିଥିଲେ ମଧ୍ୟ ମାଛ ମାରିବାକୁ ସଟର ପକାଇଥିବା ଦୁର୍ବୃତ୍ତ ସେମାନଙ୍କୁ ନାଲି ଆଖି ଦେଖାଉଥିଲେ । ଏନେଇଜଳସେଚନ ବିଭାଗକୁ ଆପତ୍ତି ଅଭିଯୋଗ କରୁିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ପ୍ରଥମେ ପୋକ ଆଉ ଏବେ ପାଣି ବିନା ବୁଡିବାକୁ ବସିଛି ଧାନଚାଷ । ଶେଷରେ କୌଣସି ଉପାୟ ନପାଇ ସ୍ଥାନୀୟ ଆୟବା ଓ ପୁରୁଷୋତ୍ତମପୁରର ଶତାଧିକ ଚାଷୀ ଆଜି କେନ୍ଦ୍ରାପଡ଼ା ଗଣ୍ଡାକିଆ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।