କେନ୍ଦ୍ରାପଡା: ଦିନକ ପରେ ଅର୍ଥାତ ଜୁନ୍ 20 ତାରିଖରେ ବିଶ୍ବ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ରଥରେ କାଳିଆ ସାଆନ୍ତେଙ୍କୁ ଦେଖିବାକୁ ଚାତକ ପରି ଚାହିଁଛନ୍ତି ଭକ୍ତ । ଆଉ ଦିନକ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । ରଥାରୂଢ ମହାପ୍ରଭୁଙ୍କୁ ଦେଖି କୃତ୍ୟକୃତ୍ୟ ହେବେ କୋଟିକୋଟି ଶ୍ରଦ୍ଧାଳୁ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସଜେଇ ହେଲାଣି ଶ୍ରୀକ୍ଷେତ୍ରଠୁ ତୁଳସୀକ୍ଷେତ୍ର । କେନ୍ଦ୍ରାପଡ଼ାରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ର ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଛନ୍ତି । ଶ୍ରୀବଳଦେବଜୀଉଙ୍କ ଅପେକ୍ଷାରେ ବ୍ରହ୍ମ ତାଳଧ୍ବଜ ରଥ । ଆଜି ନେତ୍ରୋତ୍ସବ ଆସନ୍ତାକାଲି ବ୍ରହ୍ମ ତାଳଧ୍ବଜ ରଥ ପ୍ରତିଷ୍ଠା ହେବା ସହ ନେତ ବନ୍ଧା କାର୍ଯ୍ୟ ହେବ ।
ରଥଯାତ୍ର ପାଇଁ ଚଳଚଞ୍ଚଳ ହୋଇଛି ତୁଳସୀକ୍ଷେତ୍ର । ତୁଳସୀକ୍ଷେତ୍ର ବଡ଼ ବାଡ଼ ମଣିମା ମହାପ୍ରଭୁ ବଳଦେବଜୀଉଙ୍କ ରଥାରୂଢ ଦର୍ଶନ ଅପେକ୍ଷାରେ ଭକ୍ତ । ଗତବର୍ଷ ବ୍ରହ୍ମ ତାଳଧ୍ଵଜ ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଥିଲେ ହେଁ କିଛିଟା ବିଭ୍ରାଟ ଯୋଗୁଁ ରଥ ମାଉସୀ ମାଙ୍କ ଚକଡ଼ା ଲାଗିବାରେ ବିଳମ୍ବ ହୋଇଥିଲା । ତେବେ ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ମନଭରି ଉପଭୋଗ କରିବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଭକ୍ତ । ଅନ୍ୟପଟେ ରଥ ପ୍ରସ୍ତୁତ ପାଇଁ ଦିନରାତି ଲାଗି ପଡିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା କାରିଗର ସେବାୟତ ଓ କମାର ସେବାୟତ ଏବଂ ରଙ୍ଗ କାରିଗର । ନିଜ ନିଜ କାମକୁ ଜୋରଦେଇ ଏକମନ ହୋଇ ଲାଗିଛନ୍ତି ବଢ଼େଇ, କମାର ଓ ରଙ୍ଗ ଶିଳ୍ପୀ ।
ଚଳିତବର୍ଷର ନୂଆ ପୁରୁଣା କାଠକୁ ନେଇ ଆରମ୍ଭ ହୋଇଥିବା ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେବସ୍ନାନ ପୂର୍ଣ୍ଣିମାର ୧୫ଦିନ ପୂର୍ବରୁ ଅର୍ଥାତ ଅକ୍ଷୟ ତୃତୀୟାରୁ ମହାପ୍ରଭୁ ବଳଦେବଜୀଉଙ୍କ "ବ୍ରହ୍ମ ତାଳଧ୍ଵଜ" ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ଚକରେ ଅଖ ସଂଯୋଗ କରାଯାଇ ସେହିଦିନ ଠାରୁ ନିୟମିତ କାମ ଚାଲୁ ରିହିଛି । ବ୍ରହ୍ମ ତାଳଧ୍ଵଜ ରଥର ଅଖ ସଂଖ୍ୟା ୭ ରହିଥିବା ବେଳେ ଚକ ସଂଖ୍ୟା ୧୪ଟି। ୧୦୨୪ଖଣ୍ଡ ନୂଆପୁରୁଣା କାଠରେ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ ହେଉଥିବା ବେଳେ ପରମ୍ପରା ଅନୁଯାୟୀ ରଥର ଉଚ୍ଚତା ଶ୍ରୀକ୍ଷେତ୍ରର ନନ୍ଦିଘୋଷ ରଥଠାରୁ ମାତ୍ର କେଇ ହାତ ଉଚ୍ଚ ବା ୬୫ଫୁଟ ରହିଛି । ଚକରେ ଅଖ ପଶିବା ପରେ ବରାଣ, ପାରିଣୀ, ପାସ୍ତା ପରେ ପତର ବାଡ଼ିଆ କାମ ଶେଷ ହୋଇଛି । ଅନ୍ୟପଟେ ନାହାକା ଉଠିବା ପରେ ଏବେ ଉପର ନାହାକା କାମ ଆରମ୍ଭ ହୋଇଛି ।