କେନ୍ଦ୍ରାପଡା: କୋରୋନା କବଳରେ ପଡି ସାରା ବିଶ୍ବ ତ୍ରାହି ତ୍ରାହି ଡାକୁଥିବାବେଳେ ଭାରତରେ ଲକଡାଉନ ଜାରି ରହିଛି। ଅନେକ ଲୋକ ଲକ୍ଡାଉନ୍ ଲାଗି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଏହି ଲକଡାଉନ ସମୟ ଶିକାରୀମାନଙ୍କୁ ବେଶ ସୁହାଇଛି । ଲକଡାଉନ ପାଇଁ ଲୋକେ ଘରେ ରହିଥିବାବେଳେ ଭିତରକନିକା ଜାତୀୟ ଉଦ୍ୟାନରେ ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର । ଜନଗହଳି ନଥିବାରୁ ବନ୍ୟଜନ୍ତୁମାନେ ଅବାଧରେ ବିଚରଣ କରୁଥିବାବୋଳେ ଶିକାରୀମାନେ ସକ୍ରିୟ ହୋଇ ଉଠିବା ସହ ଫାଶ ଓ ଶିକାରୀ କୁକୁର ଲଗାଇ ବାରହା ଏବଂ ହରିଣମାନଙ୍କୁ ଶିକାର କରୁଛନ୍ତି ।
ଶିକାରର ନୂଆ କୌଶଳ ଆପଣାଇ ଭିତରକନିକା ଜାତୀୟ ଉଦ୍ୟାନରେ ଚଳାଇଛନ୍ତି ଶିକାର । ଏପରି ଏକ exclusive ଦୃଶ୍ୟ ଲାଗିଛି ‘ଇଟିଭି ଭାରତ’ ହାତରେ । ଏହି ଦୃଶ୍ୟଟି ହେଉଛି ଜାତୀୟ ଉଦ୍ୟାନର ଶୈଳେନ୍ଦ୍ର ସରାଇ ଫରେଷ୍ଟ ବିଟ ନିକଟର । ଯେଉଁଥିରେ ତିନୋଟି କୁକୁର ଗୋଟିଏ ହରିଣକୁ ଶିକାର କରୁଥିବାର ଦେଖିବାକୁ ମିଳିଛି । ଯାହା ବନ ବିଭାଗକୁ ଚିନ୍ତାରେ ପକାଇଛି ।
ଲକ୍ଡାଉନ୍ ସମୟରେ ସମସ୍ତେ ଘରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥିତିରେ ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି ଶିକାରୀଙ୍କ ଭାଗ୍ୟ ଖୋଲିଛି । ଅବାଧରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବେଶ କରି କୁକୁର ମାଧ୍ୟମରେ ଶିକାର କରୁଛନ୍ତି । ହରିଣ ଓ ବାରହା ମାଂସ ବିକ୍ରି କରି ମାଲାମାଲ ହେଉଛନ୍ତି । ଗତ 15 ଦିନ ମଧ୍ୟରେ ରାଜନଗର ଏବଂ କନିକା ରେଞ୍ଜ ଅଧୀନରେ ବାରହା ଓ ହରିଣ ଶିକାର କରି 8 ଜଣ ଅଭିଯୁକ୍ତ ଜେଲ ଯାଇଛନ୍ତି । ଯାହାକି ଲକ୍ଡାଉନ୍ ସମୟରେ ଶିକାରୀ ବଢିଥିବାର ପ୍ରମାଣିତ କରୁଛି ।