କେନ୍ଦ୍ରପଡ଼ା:ନେତାମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଭରି ରହିଛି ମୌଳିକ ଅଭାବ। ଅବହେଳିତ ଗ୍ରାମର ବିକାଶ ଲକ୍ଷ୍ୟ ରଖି ସେମାନେ ଆସନ ହାତେଇବା ପାଇଁ ଲାଗି ପଡ଼ିଥାନ୍ତି। ଏବଂ ନିରୀହ ଜନସାଧାରଣଙ୍କୁ ଦେଇଥାନ୍ତି ଅନେକ ପ୍ରତିଶୃତି। ହେଲେ ଆସନ ଜିତିବାର ପରଦିନ ହିଁ ପାଣିର ଗାର ଭଳି ପ୍ରତିଶୃତି ଗୁଡ଼ିକ ଲିଭିଯାଏ।
ନିର୍ବାଚନ ଆସିଲେ ଏହି ଗାଁକୁ ଛୁଟିଥାନ୍ତି ନେତାମନ୍ତ୍ରୀ। ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମିଛ ପ୍ରତିଶ୍ରୁତିରେ ବିକାଶର ସ୍ବପ୍ନ ଦେଖି ଜନତା ତାଙ୍କ ମୂଲ୍ୟବାନ ଭୋଟ ଦେଇଥାନ୍ତି। ଦୀପତଳ ଅନ୍ଧାର ଭଳି ପଛୁଆ ହୋଇ ରହିଯାଇଥାଏ ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀ। ଏହି ଗାଁର ଦୃଶ୍ୟ ବିକାଶର ଅନେକ ଦୂରରେ ରହିଥିବା ବିବେଚିତ କରୁଛି। ଏହି ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ାର ମହାକାଳପଡ଼ା ପଞ୍ଚାୟତ କେୟାରବାଙ୍କ ନିର୍ବାଚନ ମଣ୍ଡଳୀର। ଯେଉଁଠି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ଲୋକଙ୍କୁ ନିଜ ପ୍ରତିଶୃତିରେ ବୁଡ଼ାଇ ନିର୍ବାଚନ ଜିତିଥିଲେ। ଜନସଂଖ୍ୟା ଦୃଷ୍ଟିରୁ ନିର୍ବାଚନ ମଣ୍ଡଳୀର ଏହା ସବୁଠୁ ବଡ଼ ଗାଁ ହୋଇଥିବା ବେଳେ ନିତିଦିନିଆ ରାସ୍ତା ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି। ବର୍ଷାଦିନେ ଏହି ରାସ୍ତାରେ ଯିବା ଆସିବା ଅସମ୍ଭବ ହେଉଥିବା ବେଳେ ପାନୀୟ ଜଳ ମିଶନ ଯୋଜନା ଏମାନଙ୍କ ପାଇଁ ଅଜଣା ହୋଇ ରହିଛି। କେଉଁଠି ଟ୍ୟାପ ଅଧା ଲାଗିଛି ତ ଆଉ କେଉଁଠି ଟ୍ୟାପ ଭୁଶୁଡ଼ି ଗଲାଣି। ଅନ୍ୟ ପଟେ କେୟାରବାଙ୍କବାସୀଙ୍କ ପାଇଁ ଅଧା ବାଟରେ ରହିଛି ସରକାରୀ ଯୋଜନା ।