ଓଡିଶା

odisha

ETV Bharat / state

ଗ୍ରାମାଞ୍ଚଳରୁ ବଳିଗଲା ପୌରାଞ୍ଚଳର ପାଣି ସମସ୍ୟା, ମିଳୁନି ମୁନ୍ଦାଏ ପାଣି - kendrapara municipality

ମୁନ୍ଦାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି କେନ୍ଦ୍ରାପଡା ପୌରାଞ୍ଚଳର ମୀରପାଟଣା ବାସିନ୍ଦା ।

kendrapara municipality
କେନ୍ଦ୍ରାପଡା ପୌରାଞ୍ଚଳ ପାଣି ସମସ୍ୟା

By

Published : May 29, 2020, 5:34 PM IST

କେନ୍ଦ୍ରାପଡା: ଖରା ଦିନେ ପାରା ବଢୁଥିବା ବେଳେ ବଢୁଛି ପାଣି ସମସ୍ୟା । ଗ୍ରାମଞ୍ଚଳ କଥା ତ ତେଣିକି ଥାଉ ଏଠି ପୌରାଞ୍ଚଳ ବଳି ଗଲାଣି ଗ୍ରାମାଞ୍ଚଳ ଠାରୁ । ଏଭଳି ସ୍ଥିତି ଏବେ ଦେଖିବାକୁ ମିଳିଛି କେନ୍ଦ୍ରାପଡାର ପୌରାଞ୍ଚଳର ମୀରପାଟଣାରେ । ମୁନ୍ଦାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ମୀରପାଟଣା ବାସୀନ୍ଦା। ଅନ୍ୟପଟେ ସମସ୍ୟା ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଲକଡାଉନ ସମୟରେ ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି।

କେନ୍ଦ୍ରାପଡା ପୌରାଞ୍ଚଳ ପାଣି ସମସ୍ୟା

କେନ୍ଦ୍ରାପଡ଼ା ପୌରାଞ୍ଚଳ ଅଧିନ ମୀରପାଟଣାରେ ପହଞ୍ଚି ପାରୁନାହିଁ ପାନୀୟ ଜଳ । 50 ପରିବାରର 300 ଲୋକ ପାଣି ବିନା ନାନା ସମସ୍ୟା ଭୋଗୁଛନ୍ତି । ଅଞ୍ଚଳରେ ଠିକ ଭାବରେ ପାଣି ପହଞ୍ଚି ପାରୁନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଲକଡାଉନ ସମୟରେ ପାଣି ନମିଳିବାରୁ ପ୍ରାୟ 1 କିଲୋମିଟର ଦୂରରେ ଥିବା ଏକ ନଳକୂପ ପାଲଟିଛି ଏକମାତ୍ର ଭରଷା। ଅମ୍ଫାନ ମହାବାତ୍ୟା ପରେ ଏହି ଅଞ୍ଚଳକୁ ଏକ ଘରୋଇ ଗାଡି ସାହାଯ୍ୟରେ ସକାଳେ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନାହିଁ ୱାର୍ଡବାସୀଙ୍କ ପାଇଁ। ସକାଳେ ପାଣି ଆସିଲେ ସନ୍ଧ୍ୟାକୁ ଆସୁନାହିଁ। ଏନେଇ ବାସିନ୍ଦା ୱାର୍ଡର ଶେଷ ମୁଣ୍ଡ ଯାଏ ପାନୀୟ ଜଳ ପହଞ୍ଚାଇବା ପାଇଁ ଦାବି କରିବା ସହ ଅତିକମରେ ଗୋଟିଏ ନଳକୂଅ ବସାଇବାକୁ ଦାବି କରିଛନ୍ତି।

ବିବାହ, ବ୍ରତ ଆଦି ଭୋଜିରେ ପୌର ପରିଷଦରୁ ଟ୍ୟାଙ୍କର ଭଡାରେ ନେଲେ 700-1000 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ଦେବାକୁ ପଡୁଥିବା ବେଳେ ଲକଡାଉନ ଯୋଗୁଁ ଉପୁଜିଥିବା ପାନୀୟ ଜଳ ସମସ୍ୟା ପାଇଁ ଟ୍ୟାଙ୍କରର ଅଭାବ ପରିଲକ୍ଷିତ ହୋଇଛି। ପୌର ପରିଷଦ ଅଧିନରେ 3ଟି ଓ ଜନସ୍ବାସ୍ଥ୍ୟ ଉପଖଣ୍ଡ ଅଧିନରେ ଦୁଇଟି ଟ୍ୟାଙ୍କର ଥିବା ବେଳେ ପୌରାଞ୍ଚଳ ଅଧିନରେ ଥିବା 3ଟି ଟ୍ୟାଙ୍କର କ୍ବାରେଣ୍ଟଇନ ସେଣ୍ଟରରେ କାର୍ଯ୍ୟ କରୁଛି। ଅପରପକ୍ଷରେ ପୌରାଞ୍ଚଳର 21ଟି ୱାର୍ଡରେ ଦୈନିକ 8ମିଲିୟନ ଲିଟର ପାଣି ଖର୍ଚ୍ଚ ହେଉଥିବା ବେଳେ ଗୌଡ଼ଗୋପ, ସୁନ୍ଦରାପାଳ ଓ ମୀରପାଟଣାକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା ସୂଚନା ଦେଇଛି ଜନସ୍ବାସ୍ଥ୍ୟ ଉପଖଣ୍ଡ।

ସେହିପରି ଦିନକୁ ଦୁଇଓଳା ପାଣି ଭାବରେ ଉକ୍ତ ତିନୋଟି ୱାର୍ଡକୁ 12000 ଲିଟର ପାଣି ଦିଆଯାଉଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ଉପଖଣ୍ଡ ଅଧିକାରୀ। ଅନ୍ୟପଟେ ମ୍ୟୁନିସିପାଲିଟି ଅଧୀନରେ 269ଟି ଟ୍ୟାପ,5000ରୁ ଉର୍ଦ୍ଧ୍ବ ପରିବାରକୁ ପାଣି କନେକ୍ସନ ଓ 212ଟି ନଳକୂପ ରହିଥିବା କହିଛନ୍ତି ପୌର ପରିଷଦ ଅଧିକାରୀ। ରାଜ୍ୟର ସର୍ବ ପୁରାତନ ପୋରୌପରିଷଦରେ ଉତ୍କଟ ଜଳ ସମସ୍ୟା ସାଙ୍ଗକୁ ବିଭାଗୀୟ ଅଧିକାରୀ ମାନଙ୍କ ସ୍ଥାଣୁତା ପାଇଁ ସହରବାସୀ ନା ପାଉଛନ୍ତି ସଠିକ ସମୟରେ ପାଣି ନା ହୋଇପାରୁଛି ଏହାର ସମାଧାନ।

କେନ୍ଦ୍ରାଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ।

ABOUT THE AUTHOR

...view details