କେନ୍ଦ୍ରାପଡ଼ା:ରାଜ୍ୟରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ନେଇ ବାଃ ବାଃ ନେଉଛନ୍ତି ସରକାର । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଅଲଗା । ସ୍ବାସ୍ଥ୍ୟ ବିଭାଗର ଅବହେଳା ଘଟଣା ବାରମ୍ବାର ଲୋକଲୋଚନକୁ ଆସିଥିଲେ ମଧ୍ୟ ଚେତିନି ପ୍ରଶାସନ । ପୁଣି ସାମ୍ନାକୁ ଆସିଛି ମୋବାଇଲ ଟର୍ଚ୍ଚ ଲାଇଟ ଅସ୍ତ୍ରୋପଚାର ବେଳର ଦୃଶ୍ୟ । ଗତ କିଛିଦିନ ତଳେ କାୟାକଳ୍ପ ପୁରସ୍କାର ପାଇଥିବା କେନ୍ଦ୍ରାପଡ଼ା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ।
ଉନ୍ନତ ଚିକିତ୍ସାଳୟର ନଗ୍ନ ଚିତ୍ର, ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ଅସ୍ତ୍ରୋପଚାର - ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ପୁଣି ସାମ୍ନାକୁ ଆସିଛି ଟର୍ଚ୍ଚ ମୋବାଇଲ ଲାଇଟ ଅସ୍ତ୍ରୋପଚାର ବେଳର ଦୃଶ୍ୟ । କାୟାକଳ୍ପ ପୁରସ୍କାର ପାଇଥିବା କେନ୍ଦ୍ରାପଡ଼ା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନଗ୍ନ ଚିତ୍ର । ଅଧିକ ପଢ଼ନ୍ତୁ
ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ହୋଇ ସ୍ଥାନୀୟ ଭାତପଡା ଗ୍ରାମର କୃପାସିନ୍ଧୁ ସାହୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେ ଗୁରୁତର ଆହତ ହୋଇଥିବାରୁ ଅସ୍ତ୍ରୋପଚାର ହୋଇଥିଲା । ତେବେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଯିବାରୁ ମୋବାଇଲ ଟର୍ଚ୍ଚ ଲାଇଟ ସହଯୋଗରେ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଥିଲା । କିନ୍ତୁ ଚିନ୍ତାର ବିଷୟ ଯେ ବିଦ୍ୟୁତ ଚାଲିଗଲେ ଡିଜି ମେସିନ ବ୍ୟବହାର କରିବା ପରିବର୍ତ୍ତେ ମୋବାଇଲ ଟର୍ଚ୍ଚରେ ରୋଗୀଙ୍କ ଚିକିତ୍ସା ଚାଲୁଛି । ସ୍ବାସ୍ଥ୍ୟକେନ୍ଦ୍ରରେ ବିପଦପୂର୍ଣ୍ଣ ଚିକିତ୍ସା ନେଇ ରୋଗୀ ଓ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଘଟଣାକୁ ନେଇ ମେଡିକାଲ ଅଫିସରଙ୍କୁ ପଚାରାଯିବାରୁ ସେ ଗଣମାଧ୍ୟମ ଉପରେ ଖପ୍ପା ହୋଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା