କେନ୍ଦ୍ରାପଡା :ଶିଶୁମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ପ୍ରତିଯୋଗିତା ସୁରଭି। ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏ ପ୍ରତିଯୋଗିତା ବିଭିନ୍ନ ସ୍କୁଲରେ ଆୟୋଜିତ ହୋଇଥାଏ । ଆଜି ( ରବିବାର) କେନ୍ଦ୍ରାପଡ଼ା ଟାଉନ ହଲ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଥିଲା ।
ହେଲେ ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଏବଂ ପୋଷ୍ଟର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା କକ୍ଷରେ ଲାଇଟର ବ୍ୟବସ୍ଥା ନଥିବାରୁ ଅନ୍ଧାରରେ ବସି ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହା ଏକ ନିନ୍ଦନୀୟ ଘଟଣା । ୯ଟି ବ୍ଲକରୁ ଆସିଥିବା ପ୍ରତିଯୋଗୀଙ୍କ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି । ଅନ୍ୟପଟେ କାର୍ଯ୍ୟକ୍ରମ ଆୟୋଜକ ଶିକ୍ଷକଙ୍କୁ ଏନେଇ ପ୍ରଶ୍ନ କରିବାରୁ ଉତ୍ତର ନଦେଇ ନଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗ ଦେଇଥିଲେ ।