କେନ୍ଦ୍ରାପଡା:କୋରୋନାର ଗୋଷ୍ଠୀ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତିଷେଧ ମୂଳକ ବ୍ୟବସ୍ଥା ଭାବେ ପିଏସଓ ମେସିନ ବା ଅଙ୍ଗୁଳି ଛାପରେ ରାସନ ସାମଗ୍ରୀ ନେବାକୁ ବାରଣ କରି ହସ୍ତାକ୍ଷର ମାଧ୍ୟମରେ ରାସନ ସାମଗ୍ରୀ ଯୋଗାଇ ଦେଉଥିଲେ । ଦିନକୁ ଦିନ ରାଜ୍ୟରେ କୋଭିଡ ପରିସ୍ଥିତି ଭୟାବହ ହେଉଥିବା ବେଳେ ପୁନଶ୍ଚ ଆଙ୍ଗୁଳି ଛାପରେ ରାସନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ନେଇ କେନ୍ଦ୍ରାପଡା ଜିଲ୍ଲାରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଲୋକମାନଙ୍କୁ ଗୋଷ୍ଠୀ ସଂକ୍ରମଣ ଏଡ଼ାଇବା ପାଇଁ ରାସନ କାର୍ଡ ହିତାଧିକାରୀମାନଙ୍କୁ ରିଟେଲର ଘରେ ନେଇ ରାସନ ପହଞ୍ଚାଇବା ସହ pso ମେସିନ ବା ଅଙ୍ଗୁଳି ଛାପ ମେସିନ ବଦଳରେ ହସ୍ତାକ୍ଷର ମାଧ୍ୟମରେ ରାସନ ନେବା ପାଇଁ ବ୍ୟବସ୍ଥା କରିଥିଲେ । ସେ ସମୟରେ ରାଜ୍ୟ ସରକାରଙ୍କ ଏଭଳି ବ୍ୟବସ୍ଥାକୁ ଭୁୟସୀ ପ୍ରଶଂସା କରାଯାଇଥିଲା । କିନ୍ତୁ ଚଳିତ ମାସରେ ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁନର୍ବାର pso ମେସିନ ମାଧ୍ୟମରେ ରାସନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ହିତାଧିକାରୀ ଓ ରିଟେଲର ।
ଲକଡାଉନ ଓ ସଟଡାଉନ ଭଳି ସମୟରେ ରୋଜଗାର ବିହୀନ ହୋଇଥିବା ଗରିବ ଲୋକମାନଙ୍କ ପାଇଁ ରାସନ ସାମଗ୍ରୀ ଏକମାତ୍ର ସାହାରା । ନୂତନ ନିୟମାନୁଯାୟୀ ଗରିବ ସାଧାରଣ ଲୋକ pso ମେସିନ ମାଧ୍ୟମରେ ଘରକୁ ରାସନ ନେବେ ନା ରୋଗ ନେବେ ସେନେଇ ପ୍ରଶ୍ନ ଉଠାଇଛନ୍ତି । ସେହିଭଳି ରିଟେଲର ପଏଣ୍ଟରେ ସାମାଜିକ ଦୂରତ୍ବ, ସାନିଟାଇଜର ବ୍ୟବହାର ଓ ମାସ୍କ ବ୍ୟବହାର କରାଯାଉଥିଲେ ମଧ୍ୟ କାହା ଶରୀରରେ କୋଭିଡ ଥିବ ସେନେଇ ସନ୍ଦେହରେ ରିଟେଲର । ଜିଲ୍ଲାର ଡେରାବିଶ୍ ବ୍ଲକ ଠାକୁରପାଟଣା ରିଟେଲର ପଏଣ୍ଟରେ ଦୁଇଟି ପଞ୍ଚାୟତର 750ରୁ ଊର୍ଦ୍ଧ୍ବ ରାସନକାର୍ଡରେ 4200 ଲୋକ ନିର୍ଭର କରୁଥିବା ବେଳେ ଅଙ୍ଗୁଳି ଛାପ ମେସିନ ପ୍ରଣୟନ ବିରୋଧରେ ଅଭିଯୋଗ ଜିଲ୍ଲା ସାରା ସମସ୍ତ ରିଟେଲର ପଏଣ୍ଟରେ ଅବସ୍ଥା ସମାନ ।